ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ଗୋଟି ଚାଳନା, ଟିଏସ ସିଂହଦେଓ ହେଲେ ଛତିଶଗଡର ଉପମୁଖ୍ୟମନ୍ତ୍ରୀ
28/06/2023 at 10:54 PM

ରାୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ କଂଗ୍ରେସ ବଡ଼ ନିଷ୍ପତ୍ତି ନେଇଛି। ପାର୍ଟି ବରିଷ୍ଠ ନେତା ତଥା ସ୍ଵାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂହଦେଓଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ କରିଛି। ବୁଧବାର ଛତିଶଗଡ଼କୁ ନେଇ କଂଗ୍ରେସ ହାଇକମାଣ୍ଡଙ୍କ ଦିଲ୍ଲୀରେ ବୈଠକ ବସିଥିଲା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ଟିଏସ ସିଂହ ଦେଓ ଉପସ୍ଥିତ ଥିଲେ। ଏହି ନିଯୁକ୍ତିକୁ ଛତିଶଗଡ଼ କଂଗ୍ରେସର ବିବାଦ ସମାଧାନ ଦିଗରେ ବଡ଼ ପଦକ୍ଷେପ କୁହାଯାଉଛି।
हैं तैयार हम.
— Bhupesh Baghel (@bhupeshbaghel) June 28, 2023
महाराज साहब को उपमुख्यमंत्री के रूप में दायित्व के लिए बधाई एवं शुभकामनाएँ. @TS_SinghDeo pic.twitter.com/1sRZqsEU2W
ଟିଏସ ସିଂହଦେଓଙ୍କୁ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଆମେ ପ୍ରସ୍ତୁତ। ମହାରାଜ ସାହାବଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ପାଇଁ ଅଭିନନ୍ଦନ ଏବଂ ଶୁଭକାମନା।

ସୂଚନାଯୋଗ୍ୟ, ୨୦୧୮ ଗତ ବିଧାନସଭା ନିର୍ବାଚନରେ ଭୂପେଶ ବଘେଲ ଏବଂ ଟିଏସ ସିଂହଦେଓଙ୍କ ଯୋଡ଼ି କଗ୍ରେସକୁ ନିର୍ବାଚନ ଜିତାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ମୋଟ୍ ୯୦ ଆସନରୁ କଂଗ୍ରେସ ୬୮ଟିରେ ବିଜୟ ହାସଲ କରିଥିବା ବେଳେ ବିଜେପି ଖାତାକୁ ମାତ୍ର ୧୫ଟି ସିଟ୍ ଯାଇଥିଲା। ବିଜୟ ପରେ ଭୂପେଶ ବଘେଲଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଟିଏସ ସିଂହଦେଓଙ୍କୁ ସ୍ଵାସ୍ଥ୍ୟ ମନ୍ତ୍ରୀ ଦାୟିତ୍ଵ ଦିଆଯାଇଥିଲା। ତେବେଠୁ ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। କିନ୍ତୁ ଅନେକ ସମୟରେ ଦୁଇ ନେତାଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା।