ସର୍ବୋଚ୍ଚ ବିଲ୍ଡିଂ ଟାଇଟଲ୍‌ ହରାଇବ ବୁର୍ଜ ଖଲିଫା; ମ୍ୟାନ୍‌ହଟ୍ଟନରେ ବିଶ୍ୱର ସର୍ବୋଚ୍ଚ ସ୍କାଇସ୍କ୍ରାପର, ଓଲଟା ‘ୟୁ’ ଆକୃତିର ହେବ ଡିଜାଇନ୍‌

Published By : Prameya-News7 Bureau | November 14, 2024 IST

ନୂଆଦିଲ୍ଲୀ ୧୪।୧୧: ବିଶ୍ୱର ସର୍ବୋଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା । ଏହା ନିଜର ଉଚ୍ଚତା କାରଣରୁ ବିଶ୍ବ ପ୍ରସିଦ୍ଧ । କିନ୍ତୁ ଭାଙ୍ଗିବାକୁ ଯାଉଛି ଏହାର ରେକର୍ଡ । ବୁର୍ଜ ଖଲିଫାର ରେକର୍ଡକୁ ମାତ୍‌ ଦେବ ଆମେରିକାରର ବିଗ୍‌ ବେଣ୍ଡ୍‌ ଟାୱାର । ନ୍ୟୁୟର୍କର ମିଡ୍‌ଟାଉନ୍‌ ମ୍ୟାନ୍‌ହଟ୍ଟନରେ ନିର୍ମାଣ ହେବ ଏହି ମେଗା ପ୍ରୋଜେକ୍ଟ । ବିଗ୍ ବେଣ୍ଡ ଦୁନିଆର ସବୁଠାରୁ ଉଚ୍ଚତମ କୋଠା ହୋଇପାରେ । ଏହି ବିଲଡିଂଟି ଏକ ଓଲଟା U ଆକାରରେ ନିର୍ମିତ ହେବ । 

ଏହି U ଉଚ୍ଚତା ୪ ହଜାର ଫୁଟ ହେବ । ଅର୍ଥାତ୍‌ ବୁର୍ଜ ଖଲିଫା ଠାରୁ ୧ ହଜାର ଫୁଟ ଅଧିକ । ବୁର୍ଜ ଖଲିଫାର ଉଚ୍ଚତା ୮୨୮ ମିଟର ବା ୨,୭୧୭ ଫୁଟ । କିନ୍ତୁ ସର୍ବୋଚ୍ଚ ବିଲ୍ଡିଂର ଟାଇଟଲ୍‌ ହରାଇପାରେ ବୁର୍ଜ ଖଲିଫା । ନୂଆ ସ୍କାଇସ୍କ୍ରାପର ନିର୍ମାଣ ଯୋଜନା ସରିଛି । ଆମେରିକାରେ ଆକାଶଛୁଆଁ ବିଲ୍ଡିଂର ଉଚ୍ଚତାରେ ଅଧିକ ଖର୍ଚ୍ଚ ହୋଇଥାଏ । ତେଣୁ ଏହାକୁ ବକ୍ର ଆକୃତି ନିର୍ମାଣ କରାଯାଇ ରାସ୍ତା ଦିଆଯିବ । 

ରିପୋର୍ଟ ଅନୁସାରେ, ଅନନ୍ୟ ଡିଜାଇନ୍‌ ସହିତ ଏହି ମହତ୍ୱାକାଂକ୍ଷୀ ପ୍ରୋଜେକ୍ଟ ଆରମ୍ଭ ହେବ । ସ୍ଥାପତ୍ୟ କମ୍ପାନି ଓଇଓ ଷ୍ଟୁଡିଓର ଲୋଆନିସ ଓଇକୋନୋମୋଉ ଏହି ଟାୱାର୍‌ର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି । ଅଭିନବ ୟୁ ଆକୃତି ପାଇଁ ପ୍ରସ୍ତାବିତ ବିଲ୍ଡିଂର ଡିଜାଇନ୍‌ ଖବରରେ ରହିଛି । ଛୋଟ ଜାଗାରେ ୟୁ ଆକୃତିର ଡିଜାଇନ୍‌ ଜରିଆରେ ନିର୍ମାତା ମୋଟାମୋଟି ଖର୍ଚ୍ଚକାଟ କରିପାରୁଛନ୍ତି । 

ଏହି ପ୍ରକଳ୍ପ ସଫଳତାର ସହିତ ସମାପ୍ତ ହେଲେ ବିଗ୍ ବେଣ୍ଡ ଦୁବାଇର ବୁର୍ଜ ଖଲିଫା ଠାରୁ ପ୍ରାୟ ୧ ହଜାର ଫୁଟ ଉଚ୍ଚର ଏକ କୋଠା ହେବ । ଏହି ନୂଆ ବିଲ୍ଡିଂ ନ୍ୟୁୟର୍କର ଫ୍ରିଡମ୍ ଟାୱାର ଠାରୁ ମଧ୍ୟ ଉଚ୍ଚ । ବିଲ୍ଡିଂର ଡିଜାଇନ୍ରେ ଉଭୟ ପାର୍ଶ୍ୱରେ ୱିଣ୍ଡୋ ଏବଂ ଲିଫ୍ଟର ଏକ ଗ୍ରୀଡ୍ ରହିବ । ତେବେ ଏଥିରେ କେତେ ଖର୍ଚ୍ଚ ହେବ ତାହାର ସୂଚନା ମିଳିନାହିଁ । 

ଓଲଟା ୟୁ ଆକୃତିର ଅବଧାରଣା ଜରିଆରେ ମ୍ୟାନ୍‌ହଟ୍ଟନରେ ସୁଉଚ୍ଚ ସ୍କ୍ରାଇସ୍କ୍ରାପର୍‌ଗୁଡ଼ିକର ଉଚ୍ଚତାକୁ ସୀମିତ କରୁଥିବା ଜୋନିଂ ନିୟମାବଳୀକୁ ମାତ୍‌ ଦେବା ହେଉଛି କମ୍ପାନିର ଉଦ୍ଦେଶ୍ୟ । ତେବେ ସଂଯୁକ୍ତ ଆରବ ଏମିରେଟ୍ସ, ଦୁବାଇରେ ଅବସ୍ଥିତ ବୁର୍ଜ ଖଲିଫା ୨୦୦୪ ମସିହାରୁ ବିଶ୍ୱର ସର୍ବୋଚ୍ଚ ଟାୱାର ଟାଇଟଲ ହାସଲ କରିଥିଲା । ଏହାପରେ ତାଇପେ ୧୦୧ ଏହାକୁ ପଛରେ ପକାଇ ୨୦୦୯ ମସିହାରୁ ବିଶ୍ୱର ସର୍ବୋଚ୍ଚ ଟାୱାର ତାଲିକାର ଶୀର୍ଷରେ ରହିଛି । ବର୍ତ୍ତମାନ ଏହି ରେକର୍ଡ ଭାଙ୍ଗିବାକୁ ଯାଉଛି । ଏହି ରେକର୍ଡ ଭାଙ୍ଗିବାକୁ ଯାଉଛି   ବିଗ୍‌ ବେଣ୍ଡ୍‌ ଟାୱାର... 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.