Big Bash Legue 2022-23: ପଞ୍ଚମ ଥର ଚାମ୍ପିଅନ ହେଲା ପର୍ଥ ସ୍କଚର୍ସ, ବ୍ରିସବେନକୁ ୫ ଓ୍ଵିକେଟ୍ରେ ହରାଇଲା
4/02/2023 at 9:37 PM

ନୂଆଦିଲ୍ଲୀ: ପର୍ଥ ସ୍କଚର୍ସ ବିଗ୍ ବାସ୍ ଲିଗ୍ ଫାଇନାଲ୍ରେ ବ୍ରିସବେନ ହିଟ୍କୁ ୫ ଓ୍ଵିକେଟ୍ରେ ହରାଇ ପୁଣି ଥରେ ଟାଇଟଲ୍ ନିଜ ନାମରେ କରିଛି। ପର୍ଥ ସ୍କଚର୍ସ ପାଞ୍ଚ ଥର ବିଗ୍ ବାସ୍ ଲିଗ୍ ଟ୍ରଫି ଜିତିବାରେ ସଫଳ ହୋଇଛି। ଫାଇନାଲ୍ ମ୍ୟାଚ୍ରେ ବ୍ରିସବେନ ହିଟ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୫ ରନ କରିଥିଲା। ଜବାବରେ ପର୍ଥ ସ୍କଚର୍ସ ଆଷ୍ଟନ ଟର୍ଣ୍ଣରଙ୍କ ଅଧିନାୟକତ୍ଵ ଇନିଂସ ଜରିଆରେ ୧୯.୩ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।
ବ୍ରିସବେନ ହିଟ୍ ଦ୍ଵାରା ମିଳିଥିବା ୧୭୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି କ୍ୟାମରନ ବ୍ୟାନକ୍ରଫ୍ଟ ଏବଂ ଷ୍ଟିଫେନ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଷ୍ଟିଫେନ ୧୯ ବଲ୍ରୁ ୨୧ ରନ କରି ଆଉଟ୍ ହୋଇଛନ୍ତି। କ୍ୟାମରନ ୧୫ ରନ କରି ପାଭିଲିୟନ ଫେରିଥିଲେ। ଆରୋନ ହାର୍ଡି ୧୭ ରନରେ ବିଦାୟ ନେଇଥିଲେ। ଓ୍ଵିକେଟ୍ କିପର ଜୋଶ ଇଙ୍ଗ୍ଲିସ ୨୨ ବଲ୍ରେ ୨୬ ରନ କରି ପାଭିଲିୟନ ଫେରିଥିଲେ। ଇଙ୍ଗ୍ଲିସ ଆଉଟ୍ ହେବା ପର୍ଥକୁ ବଡ ଝଟକା ଲାଗିଥିଲା। ମାତ୍ର ଅଧିନାୟକ ଆଷ୍ଟନ ଟର୍ଣ୍ଣରଙ୍କ ଅର୍ଦ୍ଧଶତକୀୟ ଇନିଂସ ଏବଂ କୁପରଙ୍କ ଦ୍ରୁତ ୨୫ ରନ ବଳରେ ପର୍ଥ ତିନୋଟି ବଲ୍ ବଳକା ଥାଇ ମ୍ୟାଚ୍କୁ ଜିତି ନେଇଛି। ଆଷ୍ଟନ ଟର୍ଣ୍ଣର ୩୨ ବଲ୍ରେ ୫୩ ରନର ଇନିଂସ ଖେଳିଥିବା ବେଳେ କୁପର କୋନୋଲି ୧୧ ବଲ୍ରେ ୨୫ ରନ କରିଥିଲେ।
ଏହା ପୂର୍ବରୁ ଫାଇନାଲ୍ରେ ପ୍ରଥମେ ବ୍ୟାଟିଂ କରି ବ୍ରିସବେନ୍ ହିଟ୍ ୭ ଓ୍ଵିକେଟ୍ ହରାଇ ୧୭୫ ରନ କରିଥିଲା। ଦଳ ପକ୍ଷରୁ ମାକ ସ୍ଵିନି ୪୧ ରନର ଇନିଂସ ଖେଳିଥିବା ବେଳେ ମାକ୍ସ ବ୍ରିଆଣ୍ଟ ୩୧ ରନ କରିଥିଲେ। ଜୋସ୍ ବ୍ରାଉନ ୨୫ ରନ ଏବଂ ହିଜଲେଟ୍ ୩୪ ରନର ଇନିଂସ ଖେଳିଥିଲେ। ବିଗ ବାସ୍ ଲିଗ୍ରେ ପର୍ଥ ରେକର୍ଡ ପାଞ୍ଚ ଥର ଟ୍ରଫି ଜିତିବାରେ ସଫଳ ହୋଇଛି। ସିଡନୀ ସିକ୍ସର୍ସ ୩ ଥର, ବ୍ରିସବେନ ହିଟ୍, ସିଡନୀ ଥଣ୍ଡର, ଆଡିଲେଡ୍ ଷ୍ଟ୍ରାଇକର ଏବଂ ମେଲବର୍ଣ୍ଣ ରେନେଗେଡସ ଥରୁଟିଏ ଲେଖାଏଁ ଟ୍ରଫି ଜିତିଥିଲେ।