ଏଲଆଇସି ଶୀର୍ଷ ପଦବୀରେ ବଡ଼ ପରିବର୍ତ୍ତନ, ଦୁଇ ନୂଆ ଏମଡିଙ୍କ ନିଯୁକ୍ତି…
14/03/2023 at 4:32 PM

ନୂଆଦିଲ୍ଲୀ, ୧୪/୦୩: ଭାରତୀୟ ଜୀବନ ବୀମା ନିଗମ (LIC) ମଙ୍ଗଳବାର ଏହାର ଦୁଇ ନୂଆ ପରିଚାଳନା ନିର୍ଦ୍ଦେଶକଙ୍କ ନିଯୁକ୍ତି ନେଇ ଘୋଷଣା କରିଛି। ସେୟାର ବଜାରକୁ ଦେଇଥିବା ତଥ୍ୟ ଅନୁଯାୟୀ ଏଲଆଇସି ଏହାର ପରିଚାଳନା ନିର୍ଦ୍ଦେଶକ (ଏମଡି) ଭାବରେ ତବଲେଶ ପାଣ୍ଡେ ଏବଂ ଏମ୍ ଜଗନ୍ନାଥଙ୍କୁ ନିଯୁକ୍ତ କରିଛି । ଉଭୟ ଚଳିତ ସପ୍ତାହରେ ନିଗମରୁ ଅବସର ନେଉଥିବା ଦୁଇ ପରିଚାଳନା ନିର୍ଦ୍ଦେଶକ ରାଜ କୁମାର ଏବଂ ବିସି ପଟ୍ଟନାୟକଙ୍କ ସ୍ଥାନ ନେବେ। ସୂଚନାଥାଉ, ଏଲଆଇସି ପାଖରେ ବର୍ତ୍ତମାନ ଚାରି ପରିଚାଳନା ନିର୍ଦ୍ଦେଶକ ଅଛନ୍ତି ।
ଏଲଆଇସି ଶେୟାର ବଜାରକୁ ପଠାଇଥିବା ସୂଚନା ଅନୁଯାୟୀ, ଏମ୍ ଜଗନ୍ନାଥ ୧୩ ମାର୍ଚ୍ଚ ୨୦୨୩ ଅର୍ଥାତ୍ ମଙ୍ଗଳବାର ଠାରୁ ଏମଡି ପଦ ସମ୍ଭାଳିଛନ୍ତି। ସେ ହାଇଦ୍ରାବାଦର ଦକ୍ଷିଣ ମଧ୍ୟ ଅଞ୍ଚଳର ଆଞ୍ଚଳିକ ପରିଚାଳକ ଅଛନ୍ତି। ଏମ ଜଗନ୍ନାଥ ଅବସର ନେଉଥିବା ପରିଚାଳନା ନିର୍ଦ୍ଦେଶକ ରାଜ କୁମାରଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି।
ସେହିଭଳି ଏଲଆଇସି ମଙ୍ଗଳବାର କମ୍ପାନୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତବଲେଶ ପାଣ୍ଡେଙ୍କୁ ମଧ୍ୟ ପଦୋନ୍ନତ କରି ପରିଚାଳନା ନିଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ତବଲେଶ ପାଣ୍ଡେଙ୍କ ନିଯୁକ୍ତି ୧ ଏପ୍ରିଲ ଠାରୁ ଲାଗୁ ହେବ। ବିଜ୍ଞପ୍ତି ଅନୁଯାୟୀ, ତବଲେଶ ପାଣ୍ଡେ ଏଲଆଇସିର ବର୍ତ୍ତମାନର ପରିଚାଳନା ନିର୍ଦ୍ଦେଶକ ବିସି ପଟ୍ଟନାୟକଙ୍କ ସ୍ଥାନରେ ନିଯୁକ୍ତ ହେବେ।