ନୂଆଦିଲ୍ଲୀ: ଭାରତୀୟ ଦଳର ଚୟନକର୍ତ୍ତା ଭାବେ ଅଜୟ ରାତ୍ରାଙ୍କୁ ନିଯୁକ୍ତି କରିଛି ବିସିସିଆଇ। ଅଜୟ ରାତ୍ରା ଏବେ ସଲିଲ ଅଙ୍କୋଲାଙ୍କ ସ୍ଥାନ ନେବେ। ବର୍ତ୍ତମାନ ମୁଖ୍ୟ ଚୟନକର୍ତ୍ତା ଥିବା ଅଜିତ ଅଗରକରଙ୍କ ସହ ମିଶି ଦଳ ଚୟନ କରିବେ। ରାତ୍ରା ଭାରତ ପକ୍ଷରୁ ୨୦୦୨ରେ ୬ଟି ଟେଷ୍ଟ ଓ ୧୨ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ତାଙ୍କର ଘରୋଇ କ୍ରିକେଟ୍ରେ ବେଶ ଅଭିଜ୍ଞତା ରହିଛି। ସେ ହରିୟାଣା ପାଇଁ ୯୯ ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ୪୦୨୯ ରନ କରିବା ସହ ୨୪୦ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।
ବିସିସିଆଇ ନିଜର ପ୍ରେସ୍ ବିଜ୍ଞପ୍ତିରେ କହିଛି, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର କ୍ରିକେଟ୍ ପରାମର୍ଶଦାତା କମିଟି(ସିଇସି) ଅଜୟ ରାତ୍ରାଙ୍କୁ ପୁରୁଷ ଚୟନ କମିଟିର ନୂତନ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ରାତ୍ରା ବେଶ ଅଭିଜ୍ଞ ସଂପନ୍ନ ଏବଂ ତାଙ୍କର ପ୍ରଭାବଶାଳୀ ଟ୍ରାକ ରେକର୍ଡ ରହିଛି। ଚୟନକର୍ତ୍ତା ଭାବେ ସେ ବର୍ତ୍ତମାନର ଚୟନ କମିଟି ସହ ମିଶି କାମ କରିବେ।
୪୨ ବର୍ଷୀୟ ଅଜୟ ରାତ୍ରା ଆସାମ, ପଞ୍ଜାବ ଓ ଉତ୍ତର ପ୍ରଦେଶର ମୁଖ୍ୟ କୋଚ୍ ଭାବେ କାମ କରିଛନ୍ତି। ସେ ୨୦୨୩ରେ ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜ୍ରେ ଭାରତୀୟ ଦଳର କୋଚିଂ ସଦସ୍ୟ ଥିଲେ। ରାତ୍ରା ଗୁରୁବାର ନିଜର ଦାୟିତ୍ଵ ସମ୍ଭାଳିବେ। ଭାରତୀୟ ଦଳର ଚୟନକର୍ତ୍ତା ନିଯୁକ୍ତ ହେବା ପରେ ପିଟିଆଇ ସହ ଆଲୋଚନା ବେଳେ ରାତ୍ରା କହିଛନ୍ତି, ଏହା ବହୁତ ବଡ ସମ୍ମାନର ବିଷୟ ଏବଂ ଚ୍ୟାଲେଞ୍ଜିଂ ମଧ୍ୟ। ମୁଁ ଭାରତୀୟ କ୍ରିକେଟ୍ ଦଳରେ ଯୋଗଦାନ ଦେବାକୁ ଉତ୍ସୁକ।