କଙ୍ଗନା ରଣାଓତଙ୍କୁ ମାଡ଼ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ମହିଳା CISF ସୁରକ୍ଷା କର୍ମୀ ଚାକିରୀରୁ ନିଲମ୍ବିତ

Published By : Prameya-News7 Bureau | June 06, 2024 IST

ଚଣ୍ଡିଗଡ଼ ୬।୬: ହିମାଚଳ ପ୍ରଦେଶ ମଣ୍ଡି ଆସନରୁ ଲୋକସଭା ନିର୍ବାଚନ ଜିତିଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଗୁରୁବାର ଜଣେ ମହିଳା ସିଆଇଏସଏଫ ସୁରକ୍ଷା କର୍ମୀ ଜାବୁଡ଼ା ମାରିଛନ୍ତି। ଏହି ଘଟଣାରେ ସିଆଇଏସଏଫ ଡିଜି ସମ୍ପୃକ୍ତ ସୁରକ୍ଷା କର୍ମୀଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି। ଏହା ସହିତ ମାମଲାର ତଦନ୍ତ ନିମନ୍ତେ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ମହିଳା ସିଆଇଏସଏଫ ସୁରକ୍ଷା କର୍ମୀଙ୍କ ସହିତ ଚଣ୍ଡିଗଡ ଏୟାରପୋର୍ଟରେ କଙ୍ଗନାଙ୍କ ଉଚ୍ଚବାଚ୍ଚ ହୋଇଥିଲା। 

ଉଚ୍ଚବାଚରୁ ମହିଳା ସିଆଇଏସଏଫ କର୍ମୀ କଙ୍ଗନାଙ୍କୁ ଜାବୁଡା କଷି ଦେଇଥିଲେ। ଏହି ମାମଲାରେ ବରିଷ୍ଠ ଅଧିକାରୀଙ୍କ ଦେଖରେଖରେ ଏକ ତଦନ୍ତ କମିଟି ଗଠିତ ହୋଇଛି। ଏହି କମିଟି ମାମଲାର ତଦନ୍ତ କରିବେ। ସେପଟେ କଙ୍ଗନା ରଣାଓତ ଦିଲ୍ଲୀରେ ପହଞ୍ଚି ସାରିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କଙ୍ଗନାଙ୍କୁ ଜାବୁଡା ମାରିଥିବା ମହିଳା ସୁରକ୍ଷା କର୍ମୀଙ୍କୁ ଦେଖାଯାଉଛି। 

ଏଥିରେ ମହିଳା ସୁରକ୍ଷା କର୍ମୀ କୃଷକ ଆନ୍ଦୋଳନର ଉଲ୍ଲେଖ କରୁଛନ୍ତି ଓ କଙ୍ଗନାଙ୍କ ବୟାନ କଥା କହୁଥିବା ଶୁଣାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ କଙ୍ଗନାଙ୍କୁ ଜାବୁଡା ମାରିଥିବା ସିଆଇଏସଏଫ ସୁରକ୍ଷା କର୍ମୀ କୃଷକ ଆନ୍ଦୋଳନ କାଳରେ କଙ୍ଗନା ଦେଇଥିବା ବୟାନରେ ଅସନ୍ତୁଷ୍ଟ ଥିଲେ। ସିଆଇଏସଏଫ କୂଲବିନ୍ଦର କୌର କହିଛନ୍ତି ଯେ କଙ୍ଗନା ରଣାଓତ ବୟାନରେ କହିଥିଲେ ଯେ ଚାଷୀ ୧୦୦ ଟଙ୍କା ପାଇଁ ଆନ୍ଦୋଳନରେ ବସିଛନ୍ତି। କୌର କହିଛନ୍ତି ଯେ ଯେତେବେଳେ କଙ୍ଗନା ଏହି ବୟାନ ଦେଇଥିଲେ ସେତେବେଳେ ମୋ ମା ସେଠାରେ ବସିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.