କରୋନା ଯନ୍ତ୍ରଣା : ବିଦେଶୀଙ୍କୁ ସୋସାଇଟିରେ ପଶିବାକୁ ଦେଲେନି ଲୋକେ, ଲବିରେ ରହିଲେ ୨୪ ଘଣ୍ଟା, ପୋଲିସ ବି ହାତ ଟେକିଦେଲା
25/03/2020 at 12:06 PM

ପୁନେ ୨୫/୦୩ : ଦେଶରେ କରୋନା ଭାଇରସ୍ ସଂକ୍ରମଣର ବୃଦ୍ଧି ବର୍ତ୍ତମାନ ଲୋକଙ୍କୁ ଭୟଭୀତ କରୁଛି। ସମଗ୍ର ଦେଶ ୨୧ ଦିନ ପାଇଁ ବନ୍ଦ ହୋଇଯାଇଛି। ଟ୍ରେନ୍, ବସ୍, ବିମାନ ସବୁ ବନ୍ଦ ରହିଛି। କରୋନା ଭୟରେ ଲୋକମାନେ ଘରେ ବନ୍ଦ ହୋଇ ରହିଛନ୍ତି । ମହାରାଷ୍ଟ୍ର, ପଞ୍ଜାବ ଏବଂ ହିମାଚଳରେ କର୍ଫ୍ୟୁ ଲାଗୁ ହୋଇସାରିଛି। ମଙ୍ଗଳବାର ସୁଦ୍ଧା ମହାରାଷ୍ଟ୍ରରେ ୧୦୭ ଜଣ ସଂକ୍ରମଣ ହୋଇଥିବା ଜଣାପଡିଛି । ତିନି ଜଣଙ୍କର ମୃତ୍ୟୁ ଘଟିଛି। ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ କର୍ଫ୍ୟୁ, ଲକଡାଉନ୍ ଏବଂ ପରିବହନ ବନ୍ଦ ବର୍ତ୍ତମାନ ସାଧାରଣ ଲୋକଙ୍କ ଜୀବନ ଉପରେ ଅନେକ ପ୍ରଭାବ ପକାଉଛି। ଏହିଭଳି ଅସୁବିଧା ସମୟରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ |
ପୁଣେ ନିବାସୀ ବିଜୟେନ୍ଦ୍ର ଯୋଶୀ କହିଛନ୍ତି ଯେ ଫେବୃଆରୀ ୪ ତାରିଖରେ ତାଙ୍କ ବନ୍ଧୁ ୫୫ ବର୍ଷ ବୟସ୍କ ବ୍ରିଆନ ମେଲସନ ପର୍ଯ୍ୟଟନ ଭିସା ନେଇ କାନାଡ଼ାରୁ ଭାରତ ଆସିଥିଲେ। ସେ ପ୍ରଥମେ ମୁମ୍ବାଇର ଅଂଧେରୀରେ ଓ ପରେ ଖାରରେ ଏକ ହୋଟେଲରେ ରହିଥିଲେ | କିନ୍ତୁ ପରେ କରୋନା ଯୋଗୁଁ ତାଙ୍କୁ ଉଭୟ ସ୍ଥାନରେ ହୋଟେଲ ଛାଡିବାକୁ କୁହାଯାଇଥିଲା। ଏହା ପରେ ସେ ଏକ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଏକ ଘର ବୁକ୍ କରିଥିଲେ | କିନ୍ତୁ ସେଠାରେ ପହଞ୍ଚିବା ପରେ ସେହି ଅଞ୍ଚଳର ଲୋକମାନେ ତାଙ୍କୁ ଘର ଭିତରକୁ ପଶିବାକୁ ଦେଇ ନ ଥିଲେ। ଏହା ପରେ ମେଲସନଙ୍କୁ ସୋସାଇଟିର ଲବିରେ ୨୪ ଘଣ୍ଟା ବିତାଇବାକୁ ପଡିଥିଲା | ଏହା ପରେ ବିଜୟେନ୍ଦ୍ର ଯୋଶୀ ତାଙ୍କ ପାଇଁ ପୁନେରେ ରହିବାର ବ୍ୟବସ୍ଥା କରିଥିଲେ। ତେବେ ସେଠାକୁ ଯିବାକୁ ଟ୍ୟାକ୍ସି ଡ୍ରାଇଭର ତାଙ୍କୁ ୧୪ ହଜାର ଟଙ୍କା ମାଗିଥିଲେ।
ଯୋଶୀ କହିଛନ୍ତି, ‘ଗତ ୧୦-୧୫ ଦିନ ହେଲା ମେଲସନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯୋଶୀ ତାଙ୍କୁ ସେଭେନ ହିଲ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ମଧ୍ୟ ଚେଷ୍ଟା କରିଥିଲେ ଏବଂ ଏହି ଘଟଣାରେ ପୋଲିସଠାରୁ ସାହାଯ୍ୟ ମଧ୍ୟ ମାଗିଥିଲେ । ଯୋଶୀ କହିଛନ୍ତି ଯେ ଜଣେ ସିନିୟର ପୋଲିସ ଅଫିସର ତାଙ୍କୁ ମେଡିକାଲ ଚେକଅପରେ ସାହାଯ୍ୟ କରିପାରିବେ ବୋଲି କହିଥିଲେ କିନ୍ତୁ ଯଦି ସୋସାଇଟି ଲୋକ ତାଙ୍କୁ ପ୍ରବେଶ କରିବାକୁ ଦିଅନ୍ତି ନାହିଁ, ତେବେ ସେ ମଧ୍ୟ କିଛି କରିପାରିବେ ନାହିଁ ବୋଲି ପୋଲିସ ଅଫିସର କହିଥିଲେ |