୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବାଇଡେନ, ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ
7/09/2023 at 10:42 AM

ୱାଶିଂଟନ ୦୭/୦୯: ଗୁରୁବାରଠାରୁ ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ନୂଆଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସେ ଯୋଗଦେବେ। ଏହି ସମ୍ମିଳନୀ ୯ ଓ ୧୦ ଦୁଇଦିନ ଧରି ଅନୁଷ୍ଠିତ ହେବ । ଏଥିରେ ଜି-୨୦ ସମେତ ୪୦ ରାଷ୍ଟ୍ରର ପ୍ରତିନିଧି ସାମିଲ ହେବେ। ତେବେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ସମ୍ମିଳନୀରେ ଯୋଗଦେବେ ନାହିଁ ଏବଂ ତାଙ୍କ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ୍ ଭାରତ ଆସିବେ।
Joe Biden to arrive in Delhi tomorrow, will hold bilateral with PM Modi
— ANI Digital (@ani_digital) September 7, 2023
Read @ANI Story | https://t.co/qa0izoDhvD#JoeBiden #G20SummitDelhi #PMModi #Delhi pic.twitter.com/tth3CxzmIe
୮୦ ବର୍ଷୀୟ ବାଇଡେନ୍ଙ୍କ ପତ୍ନୀ ଜିଲ୍ ବାଇଡେନ୍ ମଙ୍ଗଳବାର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ସେ ନିଜ ଡେଲାୱେରସ୍ଥିତ ବାସଭବନରେ ସଙ୍ଗରୋଧରେ ରହିଥିଲେ । ଏହି ରିପୋର୍ଟ ଆସିବା ପରେ ରାଷ୍ଟ୍ରପତି ବାଇଡେନ୍ଙ୍କ ଭାରତ ଗସ୍ତ ନେଇ ଆଶଙ୍କା ଉପୁଜିଥିଲା । ବର୍ତ୍ତମାନ ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଫଳରେ ବାଇଡେନ୍ଙ୍କ ଭାରତ ଗସ୍ତ ପକ୍କା ହୋଇଯାଇଛି ।
ହ୍ୱାଇଟ୍ ହାଉସ୍ରେ ଏକ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଜେକ୍ ସୁଲିଭାନ୍ କହିଛନ୍ତି, ରାଷ୍ଟ୍ରପତି ବାଇଡେନ୍ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଗୁରୁବାର ନୂଆଦିଲ୍ଲୀ ଗସ୍ତ କରିବେ । ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ ।
ଶନିବାର ଓ ରବିବାର ଦୁଇଦିନ ଧରି ହେବାକୁ ଥିବା ଜି-୨୦ ସମ୍ମିଳନୀରେ ସେ ସାମିଲ ହେବେ । ବିକାଶଶୀଳ ବଜାର ସହଯୋଗୀଙ୍କ ସହ ମିଳିତ ଭାବେ କାର୍ଯ୍ୟ କରି ବଡ଼ ସଫଳତା ଆଣିଦେବା ଲକ୍ଷ୍ୟରେ ରାଷ୍ଟ୍ରପତି ଜି-୨୦ ସମ୍ମିଳନୀରେ ଯୋଗଦେବେ ବୋଲି ସୁଲିଭାନ୍ ଦର୍ଶାଇଛନ୍ତି । ସୁଲିଭାନ୍ ଆହୁରି କହିଛନ୍ତି, ଜି-୨୦ ପ୍ରତି ଆମେରିକାର ଥିବା ପ୍ରତିଶ୍ରୁତିବଦ୍ଧତା ଅକ୍ଷୁଣ୍ଣ ରହିଛି ଏବଂ ଆମେ ଆଶା କରୁଛୁ ଏହି ଜି-୨୦ ସମ୍ମିଳନୀ ଦେଖାଇଦେବ ଯେ ବିଶ୍ୱର ପ୍ରମୁଖ ଅର୍ଥନୀତିଗୁଡ଼ିକ ଆହ୍ୱାନମୂଳକ ସମୟରେ ବି ଏକାଠି ହୋଇ କାର୍ଯ୍ୟ କରିବା ଉଚିତ ।