ଅସ୍ତ୍ରବିରତିକୁ ରୋକଠୋକ୍‌ ମନା କଲେ ନେତାନ୍ୟାହୁ, କହିଲେ- ଲକ୍ଷ୍ୟ ହାସଲ ଯାଏ ଚାଲିବ ଯୁଦ୍ଧ

Published By : Prameya-News7 Bureau | December 24, 2023 IST

ନୂଆଦିଲ୍ଲୀ: ହମାସ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଗାଜାରେ ଯୁଦ୍ଧ ଜାରି ରହିଛି। ହମାସକୁ ଧ୍ୱଂସ କରିବାକୁ ଲାଗିଛନ୍ତି ଇସ୍ରାଏଲ୍ ସେନା। ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଅସ୍ତ୍ରବିରତି ପାଇଁ ସାରା ବିଶ୍ୱରେ ଅନେକ ଦେଶ ଚେଷ୍ଟା କରୁଛନ୍ତି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଛନ୍ତି।

ଏହି ସମୟରେ ଆମେରିକା କହିଛନ୍ତି ଯେ ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି ଏବଂ ସାଧାରଣ ନାଗରିକଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତେବେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଯେପର୍ଯ୍ୟନ୍ତ ଇସ୍ରାଏଲ୍ ସମସ୍ତ ଲକ୍ଷ୍ୟ ହାସଲ କରିନି, ସେପର୍ଯ୍ୟନ୍ତ ଏହି ଯୁଦ୍ଧ ଜାରି ରହିବ। ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ୍ ସୈନିକଙ୍କ ମୃତ୍ୟୁ ବଢୁଥିବାରୁ ଯୁଦ୍ଧରେ ବହୁମୂଲ୍ୟ ଦେବାକୁ ପଡୁଛି। କିନ୍ତୁ ସେ ଦର୍ଶାଇଛନ୍ତି ଯେ ହମାସ ଧ୍ୱଂସ ନହେବା ପର୍ଯ୍ୟନ୍ତ ଏବଂ ବନ୍ଦୀମାନେ ଫେରିବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ।

ତେବେ ଗାଜାରେ ବୃଦ୍ଧି ପାଉଥିବା ଆହତ ତଥା ମାନବିକ ସଙ୍କଟ ଉପରେ ଚିନ୍ତା ପ୍ରକଟ କରି ଆମେରିକା ଇସ୍ରାଏଲକୁ ସମର୍ଥନ ଜାରି ରଖିଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ପାଲେଷ୍ଟାଇନରେ ମୃତ୍ୟୁ ସଂଖ୍ୟା ୨୦,୨୫୮ରେ ପହଞ୍ଚିଛି।

ଗାଜାରେ ଅସ୍ତ୍ରବିରତି ଏବଂ ବନ୍ଦୀମାନଙ୍କ ବିନିମୟ ସମ୍ପର୍କରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଚୁକ୍ତି ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଇଜିପ୍ଟର ମଧ୍ୟସ୍ଥତା ଅଧୀନରେ ଦୁଇ ଦଳ ମଧ୍ୟରେ ଆଲୋଚନା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.