ଆମେରିକା ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନିମନ୍ତ୍ରଣ
1/02/2023 at 6:56 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନିମନ୍ତ୍ରଣ। ଖରା ଦିନରେ ଦେଶ ବୁଲିଯିବାକୁ ବାଇଡେନ୍ ନିମନ୍ତ୍ରଣ ପଠାଇଥିବା ପିଟିଆଇରେ ଖବର ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏହି ନିମନ୍ତ୍ରଣକୁ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।
ପିଟିଆଇର ସୂଚନା ଅନୁସାରେ, ଚଳିତ ବର୍ଷ ଖୁବ୍ଶୀଘ୍ର ମୋଦୀ ଆମେରିକା ଯାଇପାରନ୍ତି। କାରଣ ଆସନ୍ତା ବର୍ଷ ଦେଶରେ ନିର୍ବାଚନ ରହିଥିବାରୁ ଏହା ବିଜେପି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ତେବେ ମୋଦୀଙ୍କ ଗସ୍ତ ପାଇଁ ଉଭୟ ଆମେରିକା ଭାରତ ପକ୍ଷରୁ ସମୟ ନିର୍ଦ୍ଧାରିତ କରାଯାଉଛି। ଏଥିପାଇଁ ଯୋଜନା ଆରମ୍ଭ ହୋଇଗଲାଣି। ଆମେରିକା ସଂସଦର କାର୍ଯ୍ୟକାଳ ଓ ମୋଦୀଙ୍କ ସମସ୍ତ କାମ କାର୍ଯ୍ୟକୁ ବିଚାର କରି ତାରିଖ ସ୍ଥିର କରାଯିବ।
ଭାରତକୁ ଜି-୨୦ ଦେଶର ଅଧ୍ୟକ୍ଷତା କରିବାକୁ ସୁଯୋଗ ମିଳିଛି। ସେପ୍ଟେମ୍ବର ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ଭାରତ ଅନେକ କାର୍ଯ୍ୟକ୍ରମରେ ନେତୃତ୍ୱ ନେବ। ଏଥିରେ ଆମେରିକା ସମେତ ଜି-୨୦ ଦେଶ ସାମିଲ ହେବେ। ଏଭଳି ସ୍ଥିତିରେ ଭାରତ ଆମେରିକା ଗସ୍ତକୁ ବିଭିନ୍ନ ଦୃଷ୍ଟିକୋଣରୁ ଦେଖାଯାଉଛି। ତେବେ ଦୁଇ ନେତାଙ୍କର ବୈଠକ ପାଇଁ ଜୁନ କିମ୍ବା ଜୁଲାଇରେ କୌଣସି ତାରିଖ ନିର୍ଦ୍ଧାରିତ ହୋଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ବୋଲି ପିଟିଆଇ କହିଛି।
ତେବେ ଏଥରର ମୋଦୀଙ୍କ ଆମେରିକା ଗସ୍ତ ଅଧିକ ଦିନ ପାଇଁ ହୋଇପାରେ। କାରଣ ସେଠାରେ ମୋଦୀଙ୍କର ଆମେରିକାର ଉଭୟ ସଦନରେ ଭାଷଣ ଦେବା ସହ ଅନ୍ୟାନ୍ୟ କାର୍ଯ୍ୟ ରହିଛି। ତା ସହ ହ୍ୱାଇଟ୍ ହାଉସ୍ରେ ଜୋ ବାଇଡେନ୍ଙ୍କ ସହ ମୋଦୀ ରତ୍ରୀ ଭୋଜନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଖବର ମୁତବାକ ପ୍ରଧାନମନ୍ତ୍ରୀ ମୋଦୀ ଯଦି ଆମେରିକା ଗସ୍ତରେ ଯାଆନ୍ତି ତେବେ ଜୋ ବାଇଡେନ୍ଙ୍କ ଶାସନରେ ଏହା ତାଙ୍କର ଦ୍ୱିତୀୟ ଆମେରିକା ଗସ୍ତ ହେବ। ଏହା ପୂର୍ବରୁ ମୋଦୀ ୨୦୨୧ ସେପ୍ଟେମ୍ବରରେ ୱାଶିଂଟନ ଗସ୍ତ କରିଥିଲେ। ଏହି ସମୟରେ ବାଇଡେନଙ୍କ ସହ ମୋଦୀ ପ୍ରଥମ ଦ୍ୱିପାଖିକ ଆଲୋଚନା କରିବ ସହ ପ୍ରଥମ ଥର ପାଇଁ କ୍ୱାଡ୍ ସମ୍ମିଳନୀରେ ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷଥର ପାଇଁ ୨୦୨୨ ନଭେମ୍ବରରେ ଶେଷ ଥର ପାଇଁ ଇଣ୍ଡୋନେସିଆର ବାଲିରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ଏଠାରେ ଜି-୨୦ ସମ୍ମିଳନୀକୁ ଆସିଥିବା ନେତାଙ୍କ ସହ ବାଇଡେନ୍ଙ୍କ ସାକ୍ଷାତ ହୋଇଥିଲା। ଫଟୋ ସେସନ୍ ବେଳେ ବାଇଡେନ୍ ପଛରୁ ଆସି ମୋଦୀଙ୍କୁ ପିଠି ଥାପୁଡେଇବା ସହ ତାଙ୍କୁ ଦେଖା କରିଥିଲେ।