ସ୍ୱାତୀ ମାଲିୱାଲ ଅସଦାଚରଣ ମାମଲା: ଜାମିନ ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଭବ କୁମାର

Published By : Prameya-News7 Bureau | May 25, 2024 IST

ନୂଆଦିଲ୍ଲୀ ୨୫।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହଯୋଗୀ ବିଭବ କୁମାର ଏକ ସ୍ଥାନୀୟ କୋର୍ଟରେ ଜାମିନ ନିବେଦନ କରିଛନ୍ତି। ବିଭବଙ୍କ ବିରୋଧରେ ଆମ ଆଦମୀ ପାର୍ଟି (ଆପ) ରାଜ୍ୟସଭା ସାଂସଦ ତଥା ପୂର୍ବତନ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ଅସଦାଚରଣ ଅଭିଯୋଗ କରିଛନ୍ତି। ଏହା ଉପରେ ଜବାବ ଦେବା ପାଇଁ କୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରିକରିଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ମେ ୨୭ ତାରିଖରେ ହେବ। 

ଉଲ୍ଲେଖଯୋଗ୍ୟ ଯୋ କୋର୍ଟ ଶୁକ୍ରବାର ବିଭବ କୁମାରଙ୍କୁ ୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତାଙ୍କର ୫ ଦିନିଆ ପୋଲିସ ରିମାଣ୍ଡ ପୁରା ହେବା ପରେ କୋର୍ଟରେ ହାଜର କରାଯାଇଥିଲା ଓ କୋର୍ଟ ତାଙ୍କୁ ପୁଣି ୪ ଦିନ ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ସ୍ୱାତୀ ମାଲିୱାଲଙ୍କ ଉପରେ ମେ ୧୩ ଆକ୍ରମଣ ଲାଗି ଦିଲ୍ଲୀ ପୋଲିସ ବିଭବ କୁମାରଙ୍କୁ ୧୮ ତାରିଖ ଦିନ ଗିରଫ କରିଥିଲା। ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇଥିଲା। 

ରିମାଣ୍ଡ କାଳରେ ବିଭବ କୁମାରଙ୍କୁ ପୋଲିସ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରକୁ ନେଇ ସିନ ରିକ୍ରିଏଟ କରିଥିଲା। ତଦନ୍ତ ସମ୍ପର୍କିତ ପୋଲିସ ସୂତ୍ର ଅନୁସାରେ ବିଭବ କୁମାରଙ୍କୁ ମୁମ୍ବାଇର ୩ଟି ସ୍ଥାନକୁ ନିଆଯାଇଥିଲା। ସୂତ୍ର ଅନୁସାରେ ବିଭବ କୁମାର ତାଙ୍କ ଫୋନକୁ କୌଣସି ଠାରେ ଫର୍ମାଟ କରିଦେଇଛନ୍ତି। ବୈଷୟିକ ଯାଞ୍ଚ ପରେ ଏହା ଜଣାପଡିଛି। ପୋଲିସ ମୁତାବକ ବିଭବ କୁମାର ଫୋନ ଖରାପ ହେବା ଯୋଗୁ ମେ ୧୭ ତାରିଖ ଦିନ ଏହାକୁ ଫର୍ମାଟ କରିଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.