ସରୁନି ଛତିଶଗଡ ନାଟକ : ଆଜି ରାହୁଲଙ୍କୁ ପୁଣି ଭେଟିବେ ବଘେଲ, ଦିଲ୍ଲୀରେ ଡେରା ପକାଇଛନ୍ତି ୨୬ ବିଧାୟକ

Published By : Prameya-News7 Bureau | August 27, 2021 IST

ଭୁବନେଶ୍ୱର ୨୭।୦୮ : ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଭେଟିବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ରାଜ୍ୟରେ ଚାଲିଥିବା ନେତୃତ୍ୱ କନ୍ଦଳକୁ ନେଇ ସେ ରାହୁଲଙ୍କୁ ଭେଟିପାରନ୍ତି । ଶୁକ୍ରବାର ଭୁପେଶ ଦିଲ୍ଲୀ ଗସ୍ତ କରିବେ ବୋଲି ରାଜ୍ୟ ପ୍ରଭାରୀ ପିଏଲ ପୁନିଆ ସୂଚନା ଦେଇଛନ୍ତି ।

କେବଳ ବଘେଲ ନୁହେଁ, ତାଙ୍କ ସହ ୨୬ ବିଧାୟକ ମଧ୍ୟ ଦିଲ୍ଲୀରେ ପହଁଚିଛନ୍ତି । ବଘେଲ ରାହୁଲଙ୍କ ଆଗରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି । କାରଣ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂଦେଓଙ୍କ ସହ ତାଙ୍କର ନେତୃତ୍ୱ ବିବାଦ ବଢିବାରେ ଲାଗିଛି । ଫଳରେ ବଘେଲଙ୍କ ଗାଦି ଉପରେ ସଙ୍କଟ ଦେଖାଦେଇଛି । ଏଆଇସିସି ମଧ୍ୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପାଇଁ ଚାହୁଁଛି ।

ସୂତ୍ରାନୁସାରେ, ବଘେଲଙ୍କ ସମର୍ଥକ ବିଧାୟକମାନେ ଗୁରୁବାର ହିଁ ଦିଲ୍ଲୀରେ ପହଁଚିଥିଲେ । ଆଉ କିଛି ଶୁକ୍ରବାର ସକାଳେ ଦିଲ୍ଲୀରେ ପହଁଚିବେ । ଚାର୍ଟାର୍ଡ ବିମାନ ଦ୍ୱାରା ବିଧାୟକଙ୍କୁ ଦିଲ୍ଲୀ ଆଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା ।  ବଘେଲ ରାହୁଲଙ୍କ ସହ ସୋନିଆ ଗାନ୍ଧୀ ଓ କଂଗ୍ରେସ ସଙ୍ଗଠନ ମହାସଚିବ କେସି ବେଣୁଗୋପାଳଙ୍କୁ ଭେଟିପାରନ୍ତି । ନିଜ ସମର୍ଥକ ବିଧାୟକଙ୍କୁ ଦିଲ୍ଲୀକୁ ନେଇ ଶକ୍ତି ପ୍ରଦର୍ଶନ ଦ୍ୱାରା ବଘେଲ କେନ୍ଦ୍ର ନେତୃତ୍ୱ ଉପରେ ଚାପ ପକାଇପାରନ୍ତି । କାରଣ କେନ୍ଦ୍ର ନେତୃତ୍ୱ ମୁଖ୍ୟମନ୍ତ୍ରୀ ବଦଳାଇବାକୁ ଚାହୁଁଛି ।

ପିସିସି ସଭାପତି ମୋହନ ମାରକର କହିଛନ୍ତି ଯେ, ଦଳରେ ସବୁକିଛି ଠିକ୍ ଅଛି । ଦଳରଆଭିମୁଖ୍ୟ ସ୍ପଷ୍ଟ । ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ଉଭୟ ସିଂଦେଓ ଓ ରଭେଲ ରାହୁଲ ଗାନ୍ଧୀ, ଏଆଇସିସି ସଙ୍ଗଠନ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଭେଟିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଚାଲିଥିବା ଚର୍ଚ୍ଚାକୁ ବଘେଲ ଖଣ୍ଡନ କରିଥିଲେ । ଏହାସହ ବୁଧବାର ରାୟପୁର ଫେରି ଦଳୀୟ ବିଧାୟକଙ୍କ ସହ ବୈଠକ ମଧ୍ୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.