ଭୂପେନ୍ଦ୍ର ପଟେଲ ତାଙ୍କ ମନ୍ତ୍ରିମଣ୍ଡଳ ସହ ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା, ଶନିବାର ହେବ ବିଧାୟକ ଦଳ ବୈଠକ

Published By : Prameya-News7 Bureau | December 09, 2022 IST

ଗାନ୍ଧିନଗର ୯।୧୨:  ଗୁଜରାଟ ବିଧାନସଭା ନିର୍ବାଚନରେ ୧୫୬ ଆସନରେ ଜିତି ବିଜେପି ଇତିହାସ ରଚିଛି। ଦଳର ଏହି ଐତିହାସିକ ବିଜୟ ପରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହିକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ତାଙ୍କ ମନ୍ତ୍ରିମଣ୍ଡଳ ସହ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏଥିପାଇଁ ଭୂପେନ୍ଦ୍ର ପଟେଲ ମଧ୍ୟାହ୍ନ ୧୨ଟା ବେଳେ ରାଜଭବନ ପହଞ୍ଚି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ତାଙ୍କ ଇସ୍ତଫା ପ୍ରଦାନ କରିଥିଲେ।

ବିଜେପି ଚଳିତ ସପ୍ତାହରେ ନୂଆ ସରକାରର ଶପଥଗ୍ରହଣ ଲାଗି ଯୋଜନା କରିଛି। ଏଣୁ ପାର୍ଟି ପକ୍ଷରୁ ଏବେ ବିଧାୟକ ଦଳ ବୈଠକ ଡକାଯିବ, ଯେଉଁଥିରେ ଦଳର ନେତା ନିର୍ବାଚନ ହେବ। ଆଶା କରାଯାଉଛି ପାର୍ଟି ପୁଣି ଥରେ ଭୂପେନ୍ଦ୍ର ପଟେଲଙ୍କୁ ନେତା ଚୟନ କରିବ। ବିଜେପି ପକ୍ଷରୁ ଡିସେମ୍ବର ୧୨ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇପାରେ। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ସୂତ୍ର ଅନୁସାରେ ଗୁଜରାଟ ବିଜେପି ୧୦ ଡିସେମ୍ବର ଶନିବାର ପୂ୍ର୍ବାହ୍ନରେ ପାର୍ଟିର ବିଧାୟକ ଦଳ ବୈଠକ ଆହ୍ୱାନ କରିବ। ଏଥିଲାଗି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ନିଜର ମୁଖ୍ୟମନ୍ତ୍ରୀ ପଦ ସମେତ ମନ୍ତ୍ରିମଣ୍ଡଳର ଇସ୍ତଫା ମଧ୍ୟ ପ୍ରଦାନ କରିଛନ୍ତି। ସୂଚନା ମୁତାବକ ରାଜ୍ୟପାଳଙ୍କ ସହ ଏହି ସାକ୍ଷାତ ଆଲୋଚନା କାଳରେ ଭୂପେନ୍ଦ୍ର ପଟେଲ ସରକାର ଗଠନ ଲାଗି ଦାବି ମଧ୍ୟ ଉପସ୍ଥାପିତ କରିଥିବା ଜଣାପଡିଛି।

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ କ୍ଷମତା ଡୋରୀ ଅର୍ପଣ କରାଯିବ। ଡିସେମ୍ବର ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୨ରୁ ଅଧିକ ମନ୍ତ୍ରୀଙ୍କୁ ମଧ୍ୟ ଶପଥ ପାଠ କରାଯିବ। ସୂଚନା ଅନୁସାରେ ଭୂପେନ୍ଦ୍ର ପଟେଲ ସରକାରଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ସେପଟେ ଗୁଜରାଟ ବିଜେପି ସଭାପତି ସି.ଆର. ପାଟିଲ ଶୁକ୍ରବାର ଶପଥଗ୍ରହଣ ଉତ୍ସବର ତାରିଖ ଘୋଷଣା କରିଦେଇଛନ୍ତି। ୧୨ ଡିସେମ୍ବର ମଧ୍ୟାହ୍ନ ୨ଟା ବେଳେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ପାଟିଲ କହିଛନ୍ତି। ତେବେ କାର୍ଯ୍ୟକ୍ରମ କେଉଁଠି ଅନୁଷ୍ଠିତ ହେବ ସେ ନେଇ ଏବେ ଘୋଷଣା ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.