ଗୁଜରାଟ:  ଭୂପେନ୍ଦ୍ର ପଟେଲ ପୁଣି ଥରେ ବିଧାୟକ ଦଳ ନେତା ମନୋନୀତ, ସର୍ବସମ୍ମତ ପ୍ରସ୍ତାବ ଗୃହୀତ

Published By : Prameya-News7 Bureau | December 10, 2022 IST

ଗାନ୍ଧିନଗର ୧୦।୧୨: ଗୁଜରାଟ ବିଜେପି ବିଧାୟକ ଦଳ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୂପେନ୍ଦ୍ର ପଟେଲ ପୁଣି ଥରେ ବିଧାୟକ ଦଳ ନେତା ମନୋନୀତ ହୋଇଛନ୍ତି। କନୁ ଦେଶାୟୀ ବୈଠକରେ ଭୂପେନ୍ଦ୍ର ପଟେଲଙ୍କ ନାମ ପ୍ରସ୍ତାବ କରିଥିଲେ, ଯାହା ସର୍ବସମ୍ମତିରେ ଗୃହୀତ ହୋଇଛି। ଫଳରେ ଭୂପେନ୍ଦ୍ର ପଟେଲ ଗୁଜରାଟର ଆଗାମୀ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି।

କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ଓ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା  ନିରୀକ୍ଷକ ଭାବେ ଯୋଗ ଦେଇଥିଲେ। ବୈଠକରେ ଭୂପେନ୍ଦ୍ର ପଟେଲଙ୍କ ନାମ ବିଧାୟକ ଦଳ ନେତା ଭାବେ ସର୍ବ ସମ୍ମତ ଗୃହୀତ ହୋଇଛି। ବିଧାୟକ ଦଳ ନେତା ମନୋନୀତ ହେବା ପରେ ଭୂପେନ୍ଦ୍ର ପଟେଲ ଶନିବାର ଅପରାହ୍ନ ୪ଟା ବେଳେ ପ୍ରଦେଶ ବିଜେପି ସଭାପତି ସି.ଆର.ପାଟିଲଙ୍କ ସହ ଦିଲ୍ଲୀ ଗସ୍ତରେ ଯିବେ। ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଜାତୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ବି.ଏଲ. ସନ୍ତୋଷଙ୍କୁ ଭେଟି ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରିତ କରିବେ।

{"id":719448,"sizeSlug":"full","linkDestination":"none"}

ଏହି ସାକ୍ଷାତ ଆଲୋଚନା କାଳରେ ମନ୍ତ୍ରୀମଣ୍ଡଳରେ କେଉଁମାନଙ୍କୁ ସାମିଲ କରାଯିବ ତା ଉପରେ ମଧ୍ୟ ଚର୍ଚ୍ଚା କରିବେ। ଗୁଜରାଟ ନୂଆ ମନ୍ତ୍ରୀମଣ୍ଡଳ ସୂଚୀରେ ଚୂଡ଼ାନ୍ତ ମୋହର କେନ୍ଦ୍ରୀୟ ନେତୃତ୍ୱ  ଲଗାଇବେ। ଭୂପେନ୍ଦ୍ର ପଟେଲଙ୍କ ଶପଥ ଗ୍ରହଣ ଉତ୍ସବ ଡିସେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବ। ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଜାତୀୟ ସଭାପତି ଜେ.ପି. ନଡ୍ଡା, କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ସଂସଦୀୟ ବୋର୍ଡର ସଦସ୍ୟମାନେ ଯୋଗ ଦେବେ।

୧୮୨ ସଦସୀୟ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୧୫୬ ଆସନ ଜିତି ସରକାର ଗଢିବାକୁ ଯାଉଛି। ଏହା ପୂର୍ବରୁ ବିଜେପି ୨୦୦୨ ମସିହାରେ ସର୍ବାଧିକ ୧୨୭ଟି ଆସନ ଜିତିଥିଲା। ସେତେବେଳେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେହିବର୍ଷ ଗୁଜରାଟରେ ଦଙ୍ଗା ହୋଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.