ବାର୍ଥଡେ' ପାର୍ଟିକୁ ବିରୋଧ କରିବାରୁ ମହିଳାଙ୍କୁ ଗଣଦୁଷ୍କର୍ମ, ୧୧ ଜଣଙ୍କ ନାଁରେ ମାମଲା ରୁଜୁ

Published By : Prameya-News7 Bureau | December 14, 2022 IST

ଭୁବନେଶ୍ୱର ୧୪।୧୨: ରାଜଧାନୀରେ ଚାଞ୍ଚଲ୍ୟ । ବାର୍ଥଡେ' ପାର୍ଟିକୁ ବିରୋଧ କରିବାରୁ ମହିଳାଙ୍କୁ ଗଣଦୁଷ୍କର୍ମ । ଘରେ ପଶି ଆକ୍ରମଣ କରିବା ସହ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ମଞ୍ଚେଶ୍ବର ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ଘଟଣାରେ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।

ପୋଲିସ୍ ଦେଇଥିବା ସୂଚନାନୁଯାୟୀ, ସୋମବାର ସନ୍ଧ୍ୟାରେ ଦୀପକ ଜନ୍ମ ଦିନ ପାଳନ ପାଇଁ ଧିରିକୁଟ୍ ବସ୍ତି ପାତ୍ରସାହିରେ ଏକ ପାର୍ଟିର ଆୟୋଜନ କରିଥିଲା। ସେଠାରେ ପାଖାପାଖି ୨୦ରୁ ଅଧିକ ଅସାମାଜିକ ଯୁବକ ଏକତ୍ରିତ ହୋଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ହିଁ ସେମାନେ ଉତ୍ପାତ ଆରମ୍ଭ କରିଦେଇଥିଲେ। କେକ୍ କାଟିବା ବେଳେ ସେମାନେ ହୋ-ହଲ୍ଲା କରିଥିଲେ। ଯୁବକଙ୍କ ଏଭଳି କାର୍ଯ୍ୟକଳାପକୁ ଜଣେ ମହିଳା ବାରଣ କରିଥିଲେ। ହୋ-ହଲ୍ଲା ନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଏତିକି କଥାରେ ଅସାମାଜିକ ଯୁବକମାନଙ୍କ ରାଗ ପଞ୍ଚମକୁ ଚଢ଼ି ଯାଇଥିଲା। ସେମାନେ ମହିଳାଙ୍କ ଘରେ ପଶି ଆକ୍ରମଣ କରିବା ସହ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ମହିଳା ପାଟି କରିବାରୁ କିଛି ଲୋକ ସେଠାକୁ ଯିବାରୁ ଯୁବକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଭଳିକି ସେଠାରେ ଖଣ୍ଡଯୁଦ୍ଧ ଭଳି ସ୍ଥିତି ଉପୁଜିଥିଲା।

ସେପଟେ ଖବର ପାଇ ମଞ୍ଚେଶ୍ବର ଥାନାର ଦୁଇଟି ଟିମ୍ ସେଠାରେ ପହଞ୍ଚି ଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ପୋଲିସ୍ ଦୀପକ, ମାଲିଙ୍ଗା ଏବଂ ସାନୁକୁ କାବୁ କରିଥିଲା। ଏ ସଂପର୍କରେ ପାଡିତା ମହିଳାଙ୍କ ସ୍ବାମୀ ୧୧ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା ୨୯୪, ୩୨୩, ୩୫୪, ୩୫୪ (ଏ), ୪୪୮, ୩୭୬, ୫୧୧, ୫୦୬ ଓ ୩୪ ରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ମଙ୍ଗଳବାର ୩ ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟଚାଲାଣ କରିଛି। ଅନ୍ୟ ୮ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଗିରଫ ଅଭିଯୁକ୍ତମାନେ ହେଲେ ରଙ୍ଗମାଟିଆ ଅଞ୍ଚଳର ଦୀପକ କୁମାର ସେଠୀ, ୟୁନିଟ୍ -୮ ଅଞ୍ଚଳର ୨୪ ବର୍ଷିୟ ଦେବାଶିଷ ପ୍ରଧାନ , ଓ ଦାଶରାଜା ବସ୍ତିର ୨୨ ବର୍ଷିୟ ସ୍ବାଧୀନ ନାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.