ଭିନ୍ନକ୍ଷମ ସପ୍ତାହ ପାଳନ, ୧୦ ଦିବ୍ୟାଙ୍ଗଙ୍କ ହ୍ୱିଲ୍‌ ଚେୟାର ଓ ୧୫ ଶ୍ରବଣ ବାଧିତଙ୍କୁ ନିଶୁଳ୍କ ଯନ୍ତ୍ର ପ୍ରଦାନ

Published By : Prameya-News7 Bureau | December 11, 2022 IST

ଭୁବନେଶ୍ୱର ୧୦।୧୨ : ଦେଶର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଭିନ୍ନକ୍ଷମ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଅତିଥିଭାବେ ମାନ୍ୟବର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଦ୍ୱୈତ ନଗରୀ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଜିନ୍ଦଲର ଉପସଭାପତି ବିଭୁପ୍ରସାଦ ମିଶ୍ର, ଚାଟାର୍ଡ ଆକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ଭଦ୍ରା, ଏଲ୍‌.ଆଇ.ସିର ସିନିଅର୍‌ ଡିଭିଜନାଲ୍ ମ୍ୟାନେଜର୍ ପ୍ରଫୁଲ୍ଲ କୁମାର ମହାନ୍ତି, ଏଲ୍‌.ଆଇ.ସିର ମାର୍କେଟିଂ ମ୍ୟାନେଜର୍‌ ଅଶୋକ କୁମାର ଭୂୟାଁ, ଏଲ୍‌.ଆଇ.ସିର ମ୍ୟାନେଜର୍ ସେଲ୍‌ସ୍ ଶ୍ରୀ ପ୍ରମୋଦ କୁମାର ପ୍ରଧାନଙ୍କ ସହ ରେଡ୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ସଭାପତି ବିଜୟ ଆଚାର୍ଯ୍ୟ ଓ ସଚିବ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରେଡ୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ତରଫରୁ ଏଲ୍‌.ଆଇ.ସି ଗୋଲ୍‌ଡେନ୍ ଜୁବ୍‌ଲି ଫାଉଣ୍ଡେସନ୍‌ର ସହଯୋଗରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜନସାଧାରଣଙ୍କ ସେବା ନିମନ୍ତେ ନିଶୁଳ୍କ ଆମ୍ବୁଲାନ୍ସ ସେବା ଲୋକାର୍ପଣ କରାଯାଇଛି । ଏତତ୍ ସହିତ ଡ଼ି.ଏମ୍ ସ୍କୁଲ୍ ଆଲୁମନି ଫାଉଣ୍ଡେସନ୍ ସହଯୋଗରେ ୧୦ ଜଣ ଦିବ୍ୟାଙ୍ଗଙ୍କ ନିମନ୍ତେ ହ୍ୱିଲ୍ ଚେୟାର, କମ୍ବଳ ଓ ଜିନ୍ଦଲ୍‌ର ସହଯୋଗରେ ୧୫ ଜଣ ଶ୍ରବଣ ବାଧିତଙ୍କ ନିମନ୍ତେ ନିଶୁଳ୍କ ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଛି । ପ୍ରମୁଖ ସମାଜସେବା ପ୍ରତିଷ୍ଠାନ ରେଡ୍ ସ୍ୱସ୍ତିକ୍ ସୋସାଇଟି ସର୍ବଦା ଜନସାଧାରଣଙ୍କ ନିମନ୍ତେ ନିରନ୍ତର ସେବା ଯୋଗାଇ ଆସୁଛି ।

ଆଗାମୀ ଦିନରେ ୩୦୩ ଜଣ ଭିନ୍ନକ୍ଷମଙ୍କ ନିମନ୍ତେ ଏସ୍‌.ବି.ଆଇ ଓ ଜିନ୍ଦଲ ସହାୟତାରେ କୃତିମ ଅଙ୍ଗ ପ୍ରଦାନ କରାଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ବାଇକର୍ସ ଆସୋସିଏସନ୍ ଓ ଏକାମ୍ର କାନନ ୱାକଲ୍‌ର୍ସ କ୍ଲବ୍ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରେଡ୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.