ଭୁବନେଶ୍ବରରେ ବେଶୀ ଭୟ : ୨୮ ଜିଲ୍ଲାକୁ ଟପିଗଲାଣି ରାଜଧାନୀ
21/08/2020 at 11:30 AM

ଭୁବନେଶ୍ୱର ୨୧।୮: ବୁଧବାର ରାଜଧାନୀରେ ବାହାରିଥିଲେ ୩୭୦ ସଂକ୍ରମିତ । ଗୁରୁବାର ଚିହ୍ନଟ ହୋଇଛନ୍ତି ୩୧୯ ଆକ୍ରାନ୍ତ । ଦୁଇ ଦିନରେ ଆକ୍ରାନ୍ତ ହେଲେଣି ୬୮୯ଜଣ ।
ରାଜଧାନୀରେ ହୁ ହୁ ହୋଇ ମାଡ଼ିଚାଲିଛି କରୋନା । ଗଞ୍ଜାମକୁ ଛାଡ଼ିଦେଲେ ସବୁ ଜିଲ୍ଲାଠାରୁ ଭୁବନେଶ୍ୱରରେ ସଂକ୍ରମିତ ସଂଖ୍ୟା ଅଧିକ ରହିଛି । ଗଞ୍ଜାମରେ ମୋଟ ସଂକ୍ରମିତ ହେଲେ ୧୫ ହଜାର ୭୨୪ । ଏହା ପଛକୁ ରହିଛି ଖୋଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରେ ମୋଟ ୧୦,୭୩୦ ସଂକ୍ରମିତ ଚିହ୍ନଟ ହେଲେଣି । ଏଥିରୁ କେବଳ ଭୁବନେଶ୍ୱରରୁ ବାହାରିଛନ୍ତି ୬୩୯୬। ଅର୍ଥାତ୍ ଖୋର୍ଦ୍ଧା ଜିଲ୍ଲାରେ ଯେତିକି ସଂକ୍ରମିତ ବାହାରିଛନ୍ତି, ତା’ର ୬୦% ଭୁବନେଶ୍ୱରର ।
ଗଞ୍ଜାମ, ଖୋର୍ଦ୍ଧା ତଳକୁ ରହିଛି କଟକ । କଟକ ଜିଲ୍ଲାରୁ ଏଯାବତ୍ ୪୭୧୦, ସୁନ୍ଦରଗଡ଼ରୁ ୩୫୭୮ଜଣ କରୋନା ଆକ୍ରାନ୍ତ ବାହାରିଲେଣି । ବାକି ସବୁ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାରରୁ କମ୍ ରହିଛି।
ଅର୍ଥାତ୍ ଗଞ୍ଜାମ ପରେ ସବୁ ଜିଲ୍ଲାଠାରୁ ସଂକ୍ରମଣରେ ଆଗରେ ରହିଛି ଭୁବନେଶ୍ୱର। ଗଞ୍ଜାମ ଗୋଟିଏ ଜିଲ୍ଲା ହୋଇଥିବାବେଳେ ଭୁବନେଶ୍ୱର ଗୋଟିଏ ସହର । ଭୁବନେଶ୍ୱରରେ ଏତେ ସଂଖ୍ୟକ ଆକ୍ରାନ୍ତ ବାହାରିବା ଚିନ୍ତାଜନକ।
ଗଞ୍ଜାମ ଜିଲ୍ଲାରୁ ଆଜି ୨୨୬ ଜଣ ପଜିଟିଭ୍ ବାହାରିଛନ୍ତି । ବୁଧବାର ୨୪୨ ଓ ମଙ୍ଗଳବାର ୨୪୬ ଆକ୍ରାନ୍ତ ବାହାରିଥିଲେ ଗଞ୍ଜାମରୁ । ଏବେ ପୂରା ଗଞ୍ଜାମ ଜିଲ୍ଲାରୁ ଯେତିକି ରୋଗୀ ବାହାରୁଛନ୍ତି, ତାଠୁ ବେଶି ସଂକ୍ରମିତ ହୋଇଛି ରାଜଧାନୀ। ରାଜଧାନୀର ବସ୍ତି ଆଉ କଲୋନୀ ସବୁଠି ପୁଳା ପୁଳା ରୋଗୀ । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା କବଳିତ କରିଛି । ବର୍ତ୍ତମାନ ସୁଦ୍ଧା କରୋନା ଭୁବନେଶ୍ୱରରେ ୬,୩୯୬ ଜଣଙ୍କୁ ସଂକ୍ରମିତ କରିଛି।
ସାଇନ୍ସ ପାର୍କ ବସ୍ତି, ଝରଣା ସାହି, ରାଜକୁମାର ବସ୍ତି, ତାରିଣୀ ବସ୍ତି, ବାଲିପଠା ବସ୍ତି, ସାଲିଆ ସାହି, ସାମନ୍ତପୁରୀ ବସ୍ତି, ମଙ୍ଗଳା ବସ୍ତି ଓ ହରେକ୍ରିଷ୍ଣା ବସ୍ତିରୁ ବାହାରିଛନ୍ତି ୨୨ ଜଣ । ସବୁଠୁ ବେଶି ରହିଛନ୍ତି ସାଲିଆ ସାହି ଆଉ ରାଜକୁମାର ବସ୍ତିରୁ ।
ଗୁରୁବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩୧୯ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ବାହାର ରାଜ୍ୟର ଲିଙ୍କ୍ ରହିଛି । ବାକି ଅନ୍ୟମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି କ୍ୱାରେଣ୍ଟାଇନ୍ରେ ଥିଲେ । ଆଜି ଗୋପବନ୍ଧୁ କଲୋନୀର ବୁଦ୍ଧ ନଗରରୁ ବାହାରିଛି ୧୨ ପଜିଟିଭ୍ । ବୁଦେ୍ଧଶ୍ୱରୀ କଲୋନୀରୁ ୫, ବରମୁଣ୍ଡା ହାଉର୍ସିଂବୋର୍ଡ କଲୋନୀରୁ ୬, ୭ମ ବାଟାଲିଅନରୁ ୪, ରିଜର୍ଭ ପୁଲିସ୍ ବାଟାଲିଅନରୁ ଜଣେ ପଜିଟିଭ୍ ବାହାରିଛନ୍ତି । ୪ ଜଣ ଟ୍ରାଫିକ ପୁଲିସଙ୍କ ମଧ୍ୟ କରୋନା ବାହାରିଛି । ୟୁନିଟ୍-୬ ଅଞ୍ଚଳରୁ ୯ ଜଣ ସଂକ୍ରମିତ ହୋଇଛନ୍ତି ।
ତେବେ ଆଜି ଚିହ୍ନଟ ୧୪୭ ଜଣ ପଜିଟିଭ୍ଙ୍କ ସଂକ୍ରମଣର ଉତ୍ସ ପାଇନି ପ୍ରଶାସନ । ଏମାନେ ସ୍ଥାନୀୟ ସଂକ୍ରମିତ । ମଞ୍ଚେଶ୍ୱରରେ କରୋନା ସବୁଠୁ ବେଶି କାୟା ମେଲାଇଛି । ଅଞ୍ଚଳରୁ ୧୬ ଜଣ ପଜିଟିଭ୍ ବାହାରିଛନ୍ତି । ଭିଏସ୍ଏସ ନଗରରୁ ମଧ୍ୟ ୫ ଜଣଙ୍କ ଦେହରେ ଭୂତାଣୁ ଚିହ୍ନଟ ହୋଇଛି ।
୪ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟ କରୋନା ବାହାରିଛି । ଜଣେ ସରକାରୀ ହସ୍ପିଟାଲର ହୋଇଥିବା ବେଳେ ବାକି ୩ ଜଣ ଅଲଗା ଅଲଗା ଘରୋଇ ହସ୍ପିଟାଲର । ଓପିଟିସିଏଲ୍ ଓ ଗ୍ରୀଡକୋର ୮ କର୍ମଚାରୀ ମଧ୍ୟ ପଜିଟିଭ୍ ବାହାରିଛନ୍ତି ।