ଭୁବନେଶ୍ୱର ଶିଳ୍ପପତିଙ୍କ ଝିଅ ନିର୍ବନ୍ଧ ଆୟୋଜନ ପାଇଁ ୭୩ ଲକ୍ଷ ଟଙ୍କା ଠକିନେଇଥିବା ଦଲାଲକୁ ଦିଲ୍ଲୀରୁ ଗିରଫ କଲା କମିଶନରେଟ ପୋଲିସ

Published By : Prameya-News7 Bureau | November 04, 2018 IST

ଭୁବନେଶ୍ୱର ୪/୧୧ : ଭୁବନେଶ୍ୱରର ଜଣେ ଶିଳ୍ପପତିଙ୍କ ଠାରୁ ୭୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ୱର କମିଶନରେଟ ପୋଲିସର ସ୍ପେସିଆଲ ସ୍କ୍ୱାର୍ଡ ଦିଲ୍ଲୀରୁ ନଳିନୀକାନ୍ତ ନନ୍ଦ ନାମକ ଜଣେ ଦଲାଲକୁ ଗିରଫ କରିଛି | ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରର ଜଣେ ବିଶିଷ୍ଟ ଶିଳ୍ପପତିଙ୍କ ଝିଅଙ୍କ ନିର୍ବନ୍ଧ ଦୁବାଇର ଏକ ହୋଟେଲରେ କରିବା ପାଇଁ ଯୋଜନା ହୋଇଥିଲା | ଏହି କାର୍ଯ୍ୟକ୍ରମ ପାଇଁ ଦୁବାଇରେ ହୋଟେଲ ବୁକିଂ, ବିମାନ ଟିକେଟ ବୁକିଂ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଲାଗି ସମ୍ପୃକ୍ତ ଶିଳ୍ପପତି ଭୁବନେଶ୍ୱର ଏୟାରଫିଲ୍ଡ ଅଂଚଳରେ ଥିବା ଏକ ଟ୍ରାଭେଲ ଏଜେନ୍ସି ସହିତ ଯୋଗାଯୋଗ କରିଥିଲେ | ଟ୍ରାଭେଲ ଏଜେନ୍ସିର ମାଲିକ ନଳିନୀକାନ୍ତ ନନ୍ଦ ଶିଳ୍ପପତିଙ୍କୁ ସବୁ ଆୟୋଜନ ସୁରୁଖୁରୁରେ କରିଦେବେ ବୋଲି ପ୍ରତିଶୃତି ଦେଇଥିଲା | ସେଥିପାଇଁ ଅଗ୍ରିମ ଆକାରରେ ୭୩ ଲକ୍ଷ ଟଙ୍କା ମଧ୍ୟ ନଳିନୀଙ୍କୁ ଶିଳ୍ପପତି ପ୍ରଦାନ କରିଥିଲେ | ତେବେ ନଳିନୀ କୌଣସି ଆୟୋଜନ ନକରି ଏହି ଟଙ୍କା ନେଇ ଫେରାର ହୋଇଯାଇଥିଲେ | ଏ ସମ୍ପର୍କରେ ସମ୍ପୃକ୍ତ ଶିଳ୍ପପତି ଏୟାର ଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ | ଏୟାର ଫିଲ୍ଡ ଥାନା ପୋଲିସ ମାମଲାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡକୁ ହସ୍ତାନ୍ତର କରିଥିଲା | ସ୍ୱତନ୍ତ୍ର ସ୍କ୍ୱାର୍ଡ ଗତକାଲି ଦିଲ୍ଲୀ ଯାଇ ନଳିନୀକୁ ଗିରଫ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.