ତତଲା କଡେଇରେ ଅନୁଗୁଳ : ରାଜ୍ୟରେ ବଢୁଛି ତାପମାତ୍ରା, ଏମିତି ଆହୁରି ୫ ଦିନ ରହିବ ପାଗ

Published By : Prameya-News7 Bureau | February 28, 2021 IST

ଭୁବନେଶ୍ଵର ୨୮।୦୨: କଲବଲ କରୁଛି ଅସହ୍ୟ ଖରା। ଝାଞ୍ଜି ପବନ ସହ ଗ୍ରୀଷ୍ମର ପ୍ରଭାବ ରାଜ୍ୟବାସୀଙ୍କ ଦୈନନ୍ଦିନ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଛି। ଗ୍ରୀଷ୍ମ ଦିନ ଆରମ୍ଭରୁ ସ୍ୱାଭାବିକ ଠାରୁ ୫ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା। ଆଗାମୀ  ୫ ଦିନ ଯାଏଁ ପାଗ ଏହିଭଳି ଶୁଖିଲା ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି ଗ୍ରୀଷ୍ମ ପ୍ରବାହ।

ରବିବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଲା ଅନୁଗୁଳ। ପ୍ରବଳ ତାତିରେ ଦିନ ୧୦ଟା ପରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଛାଇ ଦେଖି ମୁଣ୍ଡ ଗୁଞ୍ଜୁଛନ୍ତି ବାଇକ ଓ ସାଇକେଲ ଆରୋହୀ। ପଦଚାରୀ ବି ଖରାରୁ ବର୍ତ୍ତିବାକୁ ଆପଣାଉଛନ୍ତି ଭିନ୍ନ ଭିନ୍ନ ଉପାୟ। କିଏ ଛତା ବ୍ୟବହାର କରୁଛି ତ ଆଉ କିଏ ମୁଣ୍ଡରେ ଓଦା ଗାମୁଛା ପକାଇ ଅସହ୍ୟ ଖରା ଦାଉରୁ ରକ୍ଷା ପାଇବା ପାଇଁ ଚେଷ୍ଟା ଚଳାଇଛନ୍ତି । ଭୁବନେଶ୍ୱରକୁ ମିଶାଇ ରାଜ୍ୟର ୮ଟି ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ଅନୁଭୂତ ହେଉଥିବା ପାଣିପାଗ ବିଭାଗର ତଥ୍ୟରୁ ଜଣା ପଡିଛି। ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ମୟୁରଭଞ୍ଜ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରଖର ହୋଇଛି ଗ୍ରୀଷ୍ମ ପ୍ରବାହ।

୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାରେ ଆଶଙ୍କା ନଥିବା ବେଳେ ଭୁବନେଶ୍ୱର ସମେତ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଆଦି ଜିଲ୍ଲା ମାନଙ୍କରେ ତାପମାତ୍ରା ଅଧିକ ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ  ୪୦.୬ ଡିଗ୍ରୀ ରହିଥିଲା । କିନ୍ତୁ ରବିବାର ଅନୁଗୁଳ ସହରର ତାପମାତ୍ରା ସର୍ବାଧିକ ୩୮.୦୬ ଡିଗ୍ରୀ ରେକର୍ଡ କରାଯାଇଛି  କିଛିଟା ଜିଲ୍ଲାରେ ତାପମାତ୍ରା ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.