ନୂଆଦିଲ୍ଳୀ, ୨/୧୨: ୧୯୮୪ ର ଭୋପାଳ ଗ୍ୟାସ୍ ଟ୍ରାଜେଡି ସାରା ଦେଶକୁ ଥରାଇ ଦେଇଥିଲା। ଏହାକୁ ଦେଶର ସବୁଠୁ ଭୟଙ୍କର ଶିଳ୍ପ ଦୁର୍ଘଟଣା ବୋଲି ଧରାଯାଏ। ଏକ କେମିକାଲ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ନିର୍ଗତ ଫଳରେ ଚାଲି ଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ। ଏହା ଏଭଳି ଏକ ଦୁର୍ଘଟଣା ଥିଲା ଯେ ରାତିରେ ଶୋଇଥିବା ଆଉ ଦେଖିପାରିନଥିଲେ ସକାଳ। ଖାଲି ସେତିକି ନୁହେଁ ଏହାର ପ୍ରଭାବ ଆଗାମୀ ପୀଢ଼ି ଉପରେ ମଧ୍ୟ ଦେଖିବାକୁ ମିଳିଥିଲା।
୧୯୮୪ ଡିସେମ୍ବର ୨ ଏବଂ ୩ ରାତି, ପ୍ରାୟ ୪୫ ଟନ୍ ବିଷାକ୍ତ ଗ୍ୟାସ୍ ମିଥାଇଲ୍ ଆଇସୋସାଇନେଟ୍ ଗ୍ୟାସ୍ ଏକ କିଟନାଶକ ପ୍ଲାଣ୍ଟରୁ ଲିକ୍ ହୋଇଥିଲା। ଏହି କମ୍ପାନୀ ଆମେରିକୀୟ କମ୍ପାନୀ ୟୁନିୟନ କାର୍ବାଇଡ କର୍ପୋରେସନ(ୟୁସିସି)ର ଭାରତୀୟ ସହାୟକ କମ୍ପାନୀ। ଫ୍ୟାକ୍ଟ୍ରିରୁ ଗ୍ୟାସ୍ ନିର୍ଗତ ହେବା ପରେ ଏହା ଆଖପାଖ ଅଞ୍ଚଳରେ ଦ୍ରୁତ ବେଗରେ ବ୍ୟାପିଯାଇଥିଲା। ଯେଉଁଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ଲୋକଙ୍କ ମୃତ୍ୟୁ ଯୋଗୁଁ ଆତଙ୍କ ସୃଷ୍ଟି ହୋଇଯାଇଥିଲା ଏବଂ ହଜାର ହଜାର ଲୋକେ ଭୋପାଳରୁ ପଳାଇଯିବାକୁ ପ୍ରୟାସ କରିତିଲେ।
କୁହାଯାଏ ମୃତକଙ୍କ ସଂଖ୍ୟା ୧୬ ହଜାରରୁ ଅଧିକ ଥିଲା। ପ୍ରାୟ ୫ ଲକ୍ଷ ଲୋକଙ୍କ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସିବା କାରଣରୁ ଶ୍ବାସକ୍ରିୟାରେ ସମସ୍ୟା, ଆଖିରେ ଯନ୍ତ୍ରଣା କିମ୍ବା ଅନ୍ଧ ହୋଇଯିବା ଏବଂ ଅନ୍ୟ ବିକୃତିର ସାମ୍ନା କରିବାକୁ ପଡ଼ିଥିଲା। ଯାଞ୍ଚରୁ ଜଣାପଡ଼ିଥିଲା ଯେ ପ୍ଲାଣ୍ଟରେ ଖରାପ ସଞ୍ଚାଳନ ଏବଂ ସୁରକ୍ଷା ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ହୋଇଥିଲା।
ତେବେ ଦୁର୍ଘଟଣା ପରେ ୟୁନିୟନ କର୍ବାଇଡ କର୍ପୋରେସନ ୪୭୦ ମିଲିୟନ ଡଲାରର କ୍ଷତିପୂରଣ ଦେଇଥିଲା। ୭ ଜୁନ୍ ରେ ଭୋପାଳର ଏକ ଅଦାଲତ କମ୍ପାନୀ ୭ ଅଧିକାରୀଙ୍କୁ ଘଟଣାକୁ ନେଇ ୨ ବର୍ଷର ଦଣ୍ଡ ଶୁଣାଇଥିଲେ। ସେ ସମୟରେ ୟୁସିସି ଅଧ୍ୟକ୍ଷ ଓ୍ବରେନ୍ ଆଣ୍ଡରସନ ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ କିନ୍ତୁ ସେ ମକଦ୍ଦମା ପାଇଁ ଆସିନଥିଲେ।
୧ ଫେବୃଆରୀ ୧୯୯୨ ରେ ଭୋପାଳ କୋର୍ଟ ଆଣ୍ଡରସନଙ୍କୁ ଫେରାର ଘୋଷଣା କରଥିଲେ। ଏହାପରେ ଅଦାଲତ ଆଣ୍ଡରସନଙ୍କ ବିରୋଧରେ ୧୯୯୨ ଏବଂ ୨୦୦୯ରେ ଦୁଇ ଥର ଜାମିନ୍ ବିହୀନ ଆରେଷ୍ଟ ଓ୍ବାରେଣ୍ଟ ମଧ୍ୟ ଜାରି କରିଥିଲେ। କିନ୍ତୁ ତାଙ୍କର ଗିରଫ ହୋଇପାରିନଥିଲା। ୨୦୧୪ ରେ ଆଣ୍ଡରସନଙ୍କ ସ୍ବାଭାବିକ ମୃତ୍ୟୁ ହୋଇଥିଲା ଏବଂ ତାଙ୍କୁ କେବେବି ଦଣ୍ଡ ହୋଇନଥିଲା।