ମାନହାନୀ ମକଦ୍ଦମାରେ ଦିଗବିଜୟ ସିଂହଙ୍କୁ ଜାମିନ ଦେଲେ କୋର୍ଟ
4/02/2023 at 5:43 PM

ଭୋପାଳ: ମାନହାନୀ ମକଦ୍ଦମାରେ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ମିଳିଲା ଜାମିନ। ମଧ୍ୟ ପ୍ରଦେଶ ବିଜେପି ଅଧ୍ୟକ୍ଷ ଭିଡି ଶର୍ମା ଦିଗବିଜୟଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଥିଲେ। ଏହି ଗଟଣାରେ ଭୋପାଳର ଏକ କୋର୍ଟ ଦିଗବିଜୟଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ଆଜି ଏହି ମାମଲାରେ ଶୁଣାଣି ଚାଲିଥିବା ବେଳେ ଦିଗବିଜୟ ସିଂହ ଓ ତାଙ୍କ ବାଇ ଲକ୍ଷ୍ମଣ ସିଂହ ଓ ପୁଅ ଜୟବର୍ଦ୍ଧନ ସିଂହ ଶନିବାର ସକାଳେ ଭୋପାଳ ଜିଲ୍ଲା କୋର୍ଟରେ ଯାଇ ପକ୍ଷ ରଖିଥିଲେ। କୋର୍ଟରୁ ଫେରିବା ପରେ ମିଡିଆ ପ୍ରଶ୍ନର ଉତ୍ତର ଦେଇଥିଲେ ଦିଗବିଜୟ। ମାମଲାରେ କୋର୍ଟ ତାଙ୍କୁ ଜାମିନ ଦେଇଥିବା ସେ କହିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିଗବିଜୟ କହିଛନ୍ତି “ମୋତେ ଏହି ମାମଲାରେ ବେଲ୍ ମିଳିଯାଇଛି। ମୁଁ ୪ଟି ରାଜ୍ୟରେ ମାନହାନୀ ମକଦ୍ଦମା ମମାଲ ଲଢୁଛି। ଏହି ମାମଲାରେ ପୂର୍ବରୁ ସିବିଆଇ ଦାବି ହୋଇଥିଲା। ହେଲେ ତଦନ୍ତ ହେଲା ନାହି। ବ୍ୟାପମ ମାମଲାରେ ଅନେକ ଲୋକ ପ୍ରଶ୍ନ ଉଠାଉଛନ୍ତି। ହେଲେ ଶିବରାଜ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ସେମାନେ ସରକାରୀ ଘରେ ସବୁବେଳେ ରହୁଛନ୍ତି। ରାଜ୍ୟକୁ ଲୁଟୁଥିବା ଶିବରାଜ ସିଂହ ଓ ତାଙ୍କର ଏଜେଣ୍ଟମାନେ ମୋ ବିରୋଧରେ ଏଭଳି ଷଡ଼ଯନ୍ତ୍ର କରିଥିଲେ।”
ସୂଚନା ଥାଉକି ଦିଗବିଜୟଙ୍କ ବିରୋଧରେ ମାନହାନୀ ଅଭିଯୋଗ ଆଣି ଥାନାରେ ମାମଲା ଦାୟର କରିଥିଲେ ମଧ୍ୟପ୍ରଦେଶ ବିଜେପି ଅଧ୍ୟକ୍ଷ ଭିଡି ଶର୍ମା। ୨୦୧୪ ଜୁଲାଇ ୪ ତାରିଖରେ ଦିଗବିଜୟ ତାଙ୍କୁ ବ୍ୟାପମ ଦୁର୍ନୀତର ମିଡିଲ ମ୍ୟାନ୍ ବୋଲି କହିଥିଲେ। ସେତେବେଳେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସାଧାରଣ ସମ୍ପାଦକ ଥିଲେ ବୋଲି ଭିଡି ଶର୍ମା ଏଫ୍ଆଇଆର୍ରେ କହିଥିଲେ। ଦିଗବିଜୟଙ୍କର ଏହି ଅଭିଯୋଗରେ ତାଙ୍କ ଛବି ଖରାପ ହୋଇଥିଲା ବୋଲି ଶ୍ରୀ ଶର୍ମା ଅଭିଯୋଗରେ ଜଣାଇଥିଲେ।