ଦରଜୀ ବାପାର ଜଜ୍ ଝିଅ, କାଶ୍ମୀର ଭ୍ୟାଲିର ଟେକ୍ ରଖିଲେ ଭାବନା କେସର

Published By : Prameya-News7 Bureau | April 08, 2024 IST

କାଶ୍ମୀର ୦୮/୦୪: ଦମ୍ୟ ଇଚ୍ଛାଶକ୍ତି । ମାନସିକତା ବି ଦୃଢ । ଫେଲ୍ ମାରିଲା ସବୁ ବାଧାବିଘ୍ନ । ଏମିତିକି କାଟୁ କଲାନି ଆତଙ୍କୀଙ୍କ ସିଜ୍ ଫାୟାର । ଶୀତଳ ମରଭୂମିର ବରଫ ଚାଦରକୁ ଆଡେଇ ଉଭା ହୋଇଛି ଉଜ୍ଜ୍ୱଳ ତାରକା । କାଶ୍ମୀର ଭାଲିରେ ସେ ଆଜି ସୁନା ଝିଅ । ପ୍ରତି ମୁହୂର୍ତ୍ତରେ ମୃତ୍ୟୁକୁ ମାତ୍ ଦେଉଥିବା ଲୋକଙ୍କ ପାଇଁ ସେ ପ୍ରେରଣା । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଭାବନା କେସର । ଦିନେ ଏନ୍କାଉଣ୍ଟରରେ ଥରହର ହେଉଥିବା ସ୍ଥାନ ଆଜି କେସରଙ୍କ ପାଇଁ ଗର୍ବୀତ । ଛାତି ଫୁଲାଇ କରୁଛି ସଲାମ୍ । କାରଣ ବନ୍ଧୁକର ଢୋ ଢା ଶବ୍ଦ ଭିତରୁ ଚାଲିବ ନ୍ୟାୟର କଲମ । ସିଭିଲ୍ ସେବା ପରୀକ୍ଷାରେ ପାସ୍ କରି ସେ ବନିଛନ୍ତି ପ୍ରଥମ ମହିଳା ଜଜ୍ । 


ପେଶାରେ ବାପା ଦରଜୀ । ଛୋଟିଆ ଟେଲର ଦୋକାନରୁ ଚଳେ ପରିବାର । ଜାମ୍ମୁ କାଶ୍ମୀରର ରଜୌରୀରେ ରୁହନ୍ତି ଭାବନାଙ୍କ ପରିବାର । ପିଲାଟି ଦିନୁ ସ୍ୱପ୍ନ ଥିଲା ବାପା ମାଆଙ୍କ ନା ରଖିବେ । ଏହାସହ ଘରୁ ବାହାରୁନଥିବା ଝିଅମାନଙ୍କୁ ଆଗକୁ ବଢିବାର ରାହା ଦେଖାଇବେ । ସେଥିପାଇଁ ଆଗକୁ ବଢିଥିଲେ ଭାବନା । ଆତଙ୍କ ଭୟଙ୍କୁ ଖାତିର ନକରି ଚଣ୍ଡୀଗଡରେ ପଢିଥିଲେ ଆଇନ ପାଠ । ଏହା ପରେ ଆରମ୍ଭ କରିଥିଲେ ସିଭିଲ ସର୍ଭିସ ପରୀକ୍ଷା । ଜଣେ ରିଡର ହିସାବରେ ଜାମ୍ମୁ ହାଇକୋର୍ଟରେ ହୋଇଥିଲା ତାଙ୍କର  ପ୍ରଥମ ପୋଷ୍ଟିଂ । କିନ୍ତୁ ଭାବନାଙ୍କ ସ୍ୱପ୍ନ ଥିଲା ଅଲଗା । ଇଚ୍ଛା ଥିଲା ଜଜ୍‌ ହେବେ, ନ୍ୟାୟ କରିବେ । ଶେଷରେ ସବ୍‌ ଜଜ ପଦ ପାଇଁ ଆବେଦନ କଲେ, ଆଉ ସିଲେକ୍ଟ ବି ହେଲେ। 

ଏବେ ଭାବନାଙ୍କୁ ନେଇ ପୂରା ସହର ଗର୍ବୀତ । ବାପା ମାଆଙ୍କ ଆଖିରେ ଝରୁଛି ଖୁସିର ଲୁହ । ତେବେ ଭାବନା ଜଜ୍ ହେବା ପରେ ଅନ୍ୟମାନଙ୍କ ପାଇଁ ଖୋଲିଯାଇଛି ସଫଳତାର ଦ୍ୱାର । ଯେଉଁଠି ଦିନେ ଝିଅ ବୋହୁ ଭୟରେ ଘରୁ ବାହାରୁନଥିଲେ ସେଠି ଆଜି ଘରର ୪ କାନ୍ଥ ଡେଇଁ ଆଗକୁ ବଢିବାର ମିଳିଛି ପ୍ରେରଣା । ସେପଟେ ବାପା ବି କହିଛନ୍ତି ଝିଅ ସଫଳତା ପାଇଛି ସତ କିନ୍ତୁ ସେ ବଞ୍ଚିଥିବା ଯାଏଁ ଛାଡିବେନି ତାଙ୍କର କୌଳିକ ବୃତ୍ତି । 

ଦିନେ ବାପାଙ୍କ ସହ ବସି ଦୋକାନରେ ଲୁଗା ସିଲେଇ କରୁଥିଲେ । ପେଟପାଟଣା ପାଇଁ କପଡାରୁ ଡ୍ରେସ ତିଆରି କରୁଥିଲେ। ହେଲେ ଏବେ ବଦଳିଯାଇଛି ସମୟ । ଦିନେ ହାତରେ ଛୁଞ୍ଚି ସୂତା ଗୁନ୍ଥୁଥିବା ହାତ ଧରିବ ନ୍ୟାୟର କଲମ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.