ବୁଧବାର ଶ୍ରୀକ୍ଷେତ୍ର ଭଉଁରୀ, ଏହି ଅବସରରେ ତିନି ରଥର ଚକ ଅଖ ଡେରା ନୀତି

Published By : Prameya-News7 Bureau | May 29, 2024 IST

ପୁରୀ ୨୯।୦୫ : ରଥ ନିର୍ମାଣ ପରମ୍ପରା ଅନୁସାରେ ଭଉଁରୀରେ ଡେରା ହେବ ଚକ ଅଖ । ଚକ-ଅଖ ଡେରା ଅର୍ଥ ୩ ରଥର ୨ଟି ଲେଖାଏଁ ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ ହେବ । ସଂଯୁକ୍ତ ଚକ-ଅଖରେ ଲାଗି କରାଯିବ ମହାପ୍ରଭୁଙ୍କ ଆଜ୍ଞାମାଳ । ଏହାର ଯଥେଷ୍ଟ ପୂର୍ବରୁ ନିର୍ମାଣକାରୀ ୬ ନାହାକା ଚକ ଓ ୩ଟି ନାହାକା ଅଖ ପ୍ରସ୍ତୁତ କରି ରଖିଛନ୍ତି । ଏଣୁ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ରଥ ଆଜ୍ଞାମାଳ ବିଜେକୁ ଅପେକ୍ଷା କରିଛନ୍ତି ନିର୍ମାଣକାରୀ ।

ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁସାରେ, ଠାକୁରଙ୍କ ସକାଳ ଧୂପ ସରିବା ପରେ ପୂର୍ବାହ୍ଣ ସାଢ଼େ ୯ଟାରେ ରଥେ ଆଜ୍ଞାମାଳ ବିଜେ ହେବ ବୋଲି ଧାର୍ଯ୍ୟ ହୋଇଛି । ଏଥିସହ ରଥଖଳା ଅଧିଶ୍ୱରୀ ମା’ ଚର୍ଚ୍ଚିକାଙ୍କୁ ମଧ୍ୟ ଆଜ୍ଞାମାଳ ଦିଆଯିବ । ଏପଟେ ରଥ ଖଳାରେ ବ୍ୟସ୍ତ ଅଛନ୍ତି ବିଶ୍ୱକର୍ମା, କରତି, ରୂପକାର ଓ ଭୋଇ ସେବକ । ରଥର ଚକ ତିଆରି ଆଗେଇ ଚାଲିଛି । ଭୋଇସେବକମାନେ ଯନ୍ତାଗାଡ଼ରେ ତୁମ୍ବରେ ଅର ଭୁଞ୍ଜି ସିଙ୍ଗଡ଼ା ପ୍ରସ୍ତୁତ କରୁଛନ୍ତି । ରଥଖଳାକୁ ସିଙ୍ଗଡ଼ା ବୋହି ନିଆଯାଉଛି । ସେଠାରେ ବିଶ୍ୱକର୍ମା ଓ ଭୋଇ ସେବକ ମିଶି ବିଲେଇ ବାଡ଼ିଆ ପଦ୍ଧତିରେ ସିଙ୍ଗଡ଼ାରେ ପହି ପିନ୍ଧାଇ ଚକ ପ୍ରସ୍ତୁତ କରୁଛନ୍ତି । ପହି ଅଭାବରୁ ଚକ କାମ ଧିମା ଥିଲା । 

ମଙ୍ଗଳବାର ରାତିରେ କଟକ ଖପୁରିଆ କରତକଳରୁ ପହି କାଠ ରଥଖଳାରେ ପହଞ୍ଚିଛି । ମଙ୍ଗଳବାର ତିନି ରଥର ଆଉ ଦୁଇଟି ଲେଖା ଚକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସନ୍ଧ୍ୟା ସୁଦ୍ଧା ତାଳଧ୍ୱଜର ୫ଟି ଓ ନନ୍ଦିଘୋଷର ୭ଟି ଓ ଦର୍ପଦଳନ ରଥର ୫ଟି କରି ୩ ରଥର ମୋଟ ୧୭ଟି ଚକ ତିଆରି ସରିଛି । ରଥ ଅମିନଙ୍କ ପରାମର୍ଶରେ ଭୋଇ ସେବକମାନେ କାଠ ବୋହି ଆଣି ଖଳାରେ ରଖୁଛନ୍ତି । ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଶ୍ୱକର୍ମାମାନେ କାଠରେ ବାରିସି ଚଳାଇ ରଥର ବିଭିନ୍ନ ଅଂଶ ପ୍ରସ୍ତୁତ କରୁଛନ୍ତି । ରୂପକାରମାନେ ଗୁଜରେ ସିଂହ ବିରାଳ ଖୋଦେଇ ଜାରି ରଖିଛନ୍ତି । ଓଝା ସେବକମାନେ କମାର ଶାଳରେ ରଥ ଚକ ପାଇଁ ପନ୍ଦାରି, ପନ୍ଦାରି ଚାବି ଓ ବଳା ତିଆରି ଖଳାକୁ ଯୋଗାଉଛନ୍ତି । ବଡ଼ବାଡ଼ର ମୁଖ୍ୟ ଓଝା ସେବକ ଜଗନ୍ନାଥ ମହାରଣା, ମଝି ବାଡ଼ର ମୁଖ୍ୟ ଓଝା ସେବକ କେଦାର ମହାରଣା ଓ ମହାପ୍ରଭୁଙ୍କ ବାଡ଼ର ମୁଖ୍ୟ ଓଝା ସେବକ ଦାଶରଥୀ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମାର ଶାଳରେ କମାର ସେବକମାନେ କାର୍ଯ୍ୟ ଜାରି ରଖିଛନ୍ତି ।

  • puri
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.