ଟ୍ରେଡ୍‌ ମାର୍କକୁ ନେଇ ଲାଗିଥିବା ବିବାଦର ସମାଧାନ କଲେ ଭାରତପେ ଓ ଫୋନ୍‌ପେ: କାହାର ହେବ ‘Pe’ ଟ୍ରେଡ୍‌ ମାର୍କ

Published By : Prameya-News7 Bureau | May 26, 2024 IST

internet

ନୂଆଦିଲ୍ଲୀ: ଟ୍ରେଡ୍ ମାର୍କକୁ ନେଇ ଦୀର୍ଘ ୫ ବର୍ଷ ହେଲା ଫିନ୍‌ଟେକ୍ ଫାର୍ମ ଭାରତପେ ଓ ଫୋନ୍‌ପେ ମଧ୍ୟରେ ଚାଲିଥିବା ଝଗଡ଼ାର ଅନ୍ତ ଘଟିଛି। ବିବାଦକୁ ସମାପ୍ତ କରି ଦୁଇ କମ୍ପାନୀ ଏବେ ବ୍ୟବସାୟରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛନ୍ତି। ‘Pe’ ଟ୍ରେଡ୍‌ ମାର୍କକୁ ନେଇ ଦୁଇ କମ୍ପାନୀ ଆଇନଗତ ଲଢ଼େଇ ଲଢ଼ୁଥିଲେ। ଏବେ ଦୁଇ କମ୍ପାନୀ ସହମତିରେ ଝଗଡ଼ା ବନ୍ଦ କରି ବ୍ୟବସାୟରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘଟଣାରେ ପରସ୍ପର ବିରୋଧରେ କରିଥିବା ମାମଲା ପ୍ରତ୍ୟାହାର କରିବେ ବୋଲି ଉଭୟ କମ୍ପାନୀ ଘୋଷଣା କରିଛନ୍ତି।
   

ରବିବାର(୨୬ ମେ୨୦୨୩) ଭାରତପେ ଏବଂ ଫୋନ୍‌ପେପେ ପକ୍ଷରୁ ମିଳିତ ବିବୃତ୍ତି ଜାରି କରି ଏହି ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଦୁଇ କମ୍ପାନୀ ମଧ୍ୟରେ ଚାଲିଥିବା ଟ୍ରେଡ୍ ମାର୍କ ବିବାଦ ଶେଷ ହୋଇଛି। ଉଭୟ କମ୍ପାନୀ ବର୍ତ୍ତମାନ ‘ପେ’ର ବ୍ୟବହାରକୁ ନେଇ ଅଧିକ ବିବାଦ କରିବାକୁ ଚାହୁଁ ନାହାଁନ୍ତି। ଗତ ୫ ଧରି ଏହି ମାମଲାକୁ ନେଇ ବିଭିନ୍ନ କୋର୍ଟରେ ମାମଲା ଲାଗି ରହିଥିଲା। ଦିଲ୍ଲୀ ଓ ବମ୍ବେ ହାଇକୋର୍ଟରେ ଚାଲିଥିବା ମାମଲାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଦୁଇ କମ୍ପାନୀ କହିଛନ୍ତି।

ଭାରତପେ ବୋର୍ଡ ଅଧ୍ୟକ୍ଷ ରଜନୀଶ କୁମାର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଏହା ଇଣ୍ଡଷ୍ଟ୍ରୀ ପାଇଁ ଖୁସି ଖବର। ଉଭୟ କମ୍ପାନୀର ମ୍ୟାନେଜ୍‌ମେଣ୍ଟ ଏହି ପ୍ରସଙ୍ଗରେ ପରିପକ୍ୱତା ଦେଖାଇଛନ୍ତି। ଦୁଇ କମ୍ପାନୀ ଏବେ ଡିଜିଟାଲ୍ ପେମେଣ୍ଟ ବ୍ୟବସାୟରେ ଅଧିକ ଧ୍ୟାନ ଦେବ ବୋଲି ରଜନୀଶ କୁମାର କହିଛନ୍ତି। ଅନ୍ୟପଟେ ଫୋନପେର ପ୍ରତିଷ୍ଠାତା ତଥା ସିଇଓ ସମୀର ନିଗମ କହିଛନ୍ତି ଯେ ସର୍ବସମ୍ମତ କ୍ରମେ ହୋଇଥିବା ନିଷ୍ପତ୍ତିରେ ସେବହୁତ ଖୁସି। ଏଥିରୁ ଉଭୟ କମ୍ପାନୀ ଉପକୃତ ହେବେ। ଏହି ସମାଧାନ ପାଇଁ ଉଭୟ କମ୍ପାନୀକୁ ରାଜ କରାଇଥିବାରୁ ସମୀର ନିଗମ ରଜନୀଶ କୁମାରଙ୍କୁ ଧନ୍ୟବାଦ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.