ଅଶନୀରଙ୍କ ପାଇଁ ଅଡ଼ୁଆ, ୮୦ କୋଟି ଠକେଇ ଅଭିଯୋଗରେ ପତ୍ନୀଙ୍କ ଉପରେ ମାମଲା ରୁଜୁ କଲା BharatPe

Published By : Prameya-News7 Bureau | December 08, 2022 IST

ନୂଆଦିଲ୍ଳୀ, ୮/୧୨: ଅଶନୀରଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କଲା ଭାରତପେ। ଭାରତପେର ପୂର୍ବତନ ଏମଡି ଏବଂ କୋ-ଫାଉଣ୍ଡର ଅଶନୀର ଗ୍ରୋଭରଙ୍କ ପତ୍ନୀ ଏବଂ କମ୍ପାନୀର ପୂର୍ବ ମୁଖ୍ୟ ନିୟନ୍ତ୍ରକ ମାଧୁରୀ ଜୈନଙ୍କ ବିରୋଧରେ ଭାରତପେ ମାମଲା ରୁଜୁ କରିଛି। ଭାରତପେ ​ ୮୦ କୋଟିରୁ ଅଧିକ ଠକେଇ କରିଥିବା ଅଭିଯୋଗରେ ମାମଲା ରୁଜୁ କରିଛି। ମାଧୁରୀ ଜୈନଙ୍କ ବିରୋଧରେ ଆଇପିସି ଧାରା ୪୨୦ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ଆଇପିସି ଧାରା ୪୨୦ ଠକେଇ ଏବଂ ଜାଲିଆତି କରି ସମ୍ପତ୍ତି ହଡ଼ପ କରିବା ଅପରାଧ ସହ ଜଡ଼ିତ।

ଏକ ରିପୋର୍ଟ ଅନୁଯାୟୀ, ଏହି ମାମଲାର ଶୁଣାଣି ଦିଲ୍ଳୀ ହାଇକୋର୍ଟରେ ହେବ। ଭାରତପେ ଚଳିତ ବର୍ଷ ଫଣ୍ଡ ହେରଫେର ଅଭିଯୋଗରେ ଅଶନୀର ଗ୍ରୋଭର ଏବଂ ତାଙ୍କ ପତ୍ନୀଙ୍କୁ କମ୍ପାନୀରୁ ବାହାର କରିଥିଲା। ଆଇପିସି ଯେଉଁ ଧାରା ଅନୁଯାୟୀ ମାଧୁରୀଙ୍କ ଉପରେ ମାମଲା କରାଯାଇଥିଲା ସେଥିରେ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ଦଣ୍ଡ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇପାରେ ଏବଂ ଏହା ସହ ଜରିମାନା ଦେବାକୁ ପଡ଼ିପାରେ।

ଗତ ମାସରେ ଅଶନୀର ଗ୍ରୋଭର ଭାରତପେର ମୁଖ୍ୟ ଟେକ୍ନୋଲୋଜୀ ଅଫିସର ଏବଂ ଚିଫ୍ ପ୍ରୋଡକ୍ଟ ଅଫିସରଙ୍କ ସହ ଭାରତପେର ଅନେକ ବରିଷ୍ଠ କର୍ମଚାରୀଙ୍କ ଇସ୍ତଫାକୁ ନେଇ କମ୍ପାନୀ ଉପରେ ସିଧା ସଳଖ ଟାର୍ଗେଟ କରିଥିଲେ। ଅଶନୀର ବୋର୍ଡ ସଦସ୍ୟଙ୍କ ଉପରେ ମଧ୍ୟ ଟାର୍ଗେଟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.