ପରକୀୟା ପ୍ରିତି ପାଇଁ ରଙ୍ଗ ମହଲ ଛାଡିଥିବା ‘ଖରାପ ଝିଅ’ ଭାରତୀ ଏବେ ପାର୍ବତୀର ‘ଅଲିଅଳି ଝିଅ’, ପିୟୁଷ ଖଳନାୟକରୁ ହେଲେ ନାୟକ
5/11/2018 at 5:52 PM

ଭୁବନେଶ୍ବର ୫|୧୧: ରଙ୍ଗ ମହଲର ଖରାପ ଝିଅ, ଏବେ ପାର୍ବତୀର ଅଲିଅଳି ଝିଅ ପାଲଟି ଯାଇଛନ୍ତି । ଆଉ ‘ଅଦିନ ଝଡ’ ପିୟୁଷଙ୍କ ପରିଚୟ ବଦଳାଇ ଦେଇଛି । ସେ ଖଳନାୟକରୁ ନାୟକ ବନି ଯାଇଛନ୍ତି।
ଆମେ କହୁଛୁ ସେହି ରଙ୍ଗମଂଚର ନାମୀ ନାୟିକା ଭାରତୀ ଆଉ ଖଳନାୟକ ପିୟୁଷଙ୍କ କଥା । ପୀୟୁଷ ଭାରତୀଙ୍କ ପ୍ରେମ ସଂପର୍କ ପାଇଁ ତାଙ୍କୁ ରଙ୍ଗ ମହଲରୁ ବିଦା ହେବାକୁ ପଡିଥିଲା । ଆଉ ରଙ୍ଗ ମହଲରୁ ବିଦା ହେବା ପରେ ଉଭୟ ପାର୍ବତୀ ଗଣନାଟ୍ୟରୁ ଡାକରା ପାଇଥିଲେ । ରଙ୍ଗ ମହଲର ନାଟକ- ‘ଖରାପ ଝିଅର ଗପ’ ରେ ନାୟିକା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲା ଭାରତୀ । ଆଉ ଏବେ ପାର୍ବତୀ ଗଣନାଟ୍ୟର ନାଟକ ‘ଅଲିଅଳି ଝିଅ’ ରେ ଭାରତୀ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି । ସେହିପରି ପିୟୁଷ ଖଳନାୟକରୁ ନାୟକ ପାଲଟି ଯାଇଛନ୍ତି । ନିଶ ଦାଢି କାଟି ଦେଇ ପୁରା ଚିକ୍କଣ ଟୋକା ହୋଇ ଯାଇଛନ୍ତି ପିୟୂଷ । ପାର୍ବତୀ ଗଣନାଟ୍ୟର ନାଟକ ‘ଅଦିନ ଝଡ’ରେ ସେ ନାୟକ ଭୂମିକାରେ ଅଭିନୟ କରୁଥିବା ସେ କହିଛନ୍ତି। ଉଭୟ ପିୟୁଷ ଓ ଭାରତୀ ପାର୍ବତୀ ଗଣନାଟ୍ୟରେ ଅଭିନୟ ଜାରି ରଖିଛନ୍ତି ।
ସୂଚନାଯୋଗ୍ୟ ଯେ, ରଂଗମହଲରେ ଖଳନାୟକ ଚରିତ୍ର ନିର୍ବାହ କରୁଥିବା ପିୟୂଷ ଏବଂ ନାୟିକା ଭୂମିକା ନିର୍ବାହ କରୁଥିବା ଭାରତୀଙ୍କ ମଧ୍ୟରେ ପରକୀୟା ପ୍ରେମ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଏପରିକି ଭାରତୀ ଖୋଲାଖୋଲି ଭାବେ ସମ୍ପର୍କକୁ ନେଇ ସ୍ବୀକାରୋକ୍ତି ପ୍ରକାଶ କରିଥିବାବେଳେ ପିୟୂଷ କିଛି ଖୋଲା ଖୋଲି କହିନଥିଲେ । ତେବେ ବିବାହିତା ଭାରତୀଙ୍କ ପାରିବାରିକ ଜୀବନରେ ଉଠିଥିଲା ଝଡ । ରଂଗମହଲରେ ପାର୍ଶ୍ବ ଅଭିନେତା ଥିବା ସ୍ବାମୀ ନିରାକାରଙ୍କଠୁ ଛାଡପତ୍ର ନେବା ପାଇଁ ସେ ଚାହିଁଥିବା ପ୍ରକାଶ କରିଥିଲେ ଭାରତୀ । ନିରାକାର ମଧ୍ୟ ଭାରତୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ବୋଲି ପ୍ରକାଶ କରିଥିଲେ । ରଂଗ ମହଲର ପ୍ରଯୋଜକ ଅତ୍ୟନ୍ତ ସାଂଘାତିକ କଥା କହିଥିଲେ । ଭାରତୀ ଓ ପିୟୂଷ ରଂଗ ମହଲରୁ ଯିବାପରେ ସେ ମଂଚକୁ ଧୋଇଛନ୍ତି ବୋଲି କହିଥିଲେ ।
ସୂଚନାଯୋଗ୍ୟ ଯେ, ଭାରତୀ ଆଉ ପିୟୂଷ ରଂଗ ମହଲ ଛାଡିବା ପରେ ତାଙ୍କ ସ୍ଥାନ ନେଇଛନ୍ତି ଦୁଇଜଣ ଉଦୀୟମାନ କଳାକାର । ଖଳନାୟକ ଭୂମିକା ମଣ୍ଟୁ ନିର୍ବାହ କରୁଥିବାବେଳେ ନାୟିକାର ଶୂନ୍ୟସ୍ଥାନ ପୂରଣ କରିଛନ୍ତି ଜଣେ ଚୁଲବୁଲି ଅଭିନେତ୍ରୀ ଲିପିନା ପାଲ୍ ।
ରିପୋର୍ଟ- ସର୍ବେଶ୍ବର ନାଥ