ଦିଲ୍ଲୀକୁ ଭାରତ ଯୋଡ଼ୋ ଯାତ୍ରା ପ୍ରବେଶପରେ ଟ୍ରାଫିକ ପ୍ରଭାବିତ, ଅନେକ ସ୍ଥାନରେ ଯାତାୟାତ ଠପ୍
24/12/2022 at 7:19 PM

ନୂଆଦିଲ୍ଲୀ ୨୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ଭାରତ ଯୋଡୋ ଯାତ୍ରା ଶନିବାର ରାଜଧାନୀ ଦିଲ୍ଲୀକୁ ପ୍ରବେଶ କରିଛି। ଫଳରେ ଜାତୀୟ ରାଜଧାନୀରେ ଟ୍ରାଫିକ ସମସ୍ୟା ଗୁରୁତର ହୋଇଛି। ପଦଯାତ୍ରୀଙ୍କ ସହର ପ୍ରବେଶ ପରେ ଦକ୍ଷିଣ-ପୂର୍ବ ଦିଲ୍ଲୀରେ ବାହନ ଯାତାୟାତ ପ୍ରଭାବିତ ହୋଇଥିଲା। ମଧ୍ୟାହ୍ନରେ ବିଶ୍ରାମ ଯୋଗୁ କିଛି ସମୟ ରାଜଧାନୀର ଟ୍ରାଫିକ ସ୍ୱଭାବିକ ଥିବା ବେଳେ ମଧ୍ୟାହ୍ନରେ ଯାତ୍ରା ପୁଣି ଆରମ୍ଭ ହେବାରୁ ପୁଣି ଟ୍ରାଫିକ ସମସ୍ୟା ଉପୁଜିଥିଲା।
ଅପରାହ୍ନରେ ଇଣ୍ଡିଆ ଗେଟ୍ ପାଖଆଖରେ ବାହନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଥିଲା। ତେବେ ସହରରେ ଶନିବାର ଏପରି ସମସ୍ୟା ଉପୁଜିପାରେ ବୋଲି ଯାତାୟାତ ପୋଲିସ ଶୁକ୍ରବାର ଆଡଭାଇଜରୀ ଜାରି କରିଥିଲା। ଏଥିରେ ଭାରତ ଯୋଡୋ ଯାତ୍ରା କାରଣରୁ ସଡକ ଅବରୋଧ ହେବା ନେଇ ଆଶଙ୍କା କରାଯାଇଥିଲା। ଯାତ୍ରା ପୂର୍ବାହ୍ନ ୧୧ଟା ବେଳେ ଦିଲ୍ଲୀ ଆଶ୍ରମ ଚୌକରେ କିଛି ସମୟ ପାଇଁ ଅଟକିଥିଲା। ପରେ ଅପରାହ୍ନ ଗୋଟାଏ ବେଳେ ଆରମ୍ଭ ହୋଇଥିଲା।

ଭାରତ ଯୋଡୋ ଯାତ୍ରା ଯୋଗୁ ଉପୁଜିଥିବା ପରିସ୍ଥିତିରେ ପୋଲିସ ସାଇନ ବୋର୍ଡ ଲଗାଇ ଭାରତ ଯୋଡୋ ଯାତ୍ରୀଙ୍କୁ ରାସ୍ତାର ବାମ ପାର୍ଶ୍ୱରେ ଚାଲିବା ପାଇଁ ଅନୁରୋଧ କରିଥିଲା। ସକାଳେ ଭିଡ ଯୋଗୁ ରାସ୍ତାରେ ବାହନମାନଙ୍କୁ ଧିରେ ଧିରେ ଯାଉଥିବାର ଦେଖା ଯାଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦେଖିବା ପାଇଁ ରାସ୍ତାରେ ବେଶ ଭିଡ ଜମୁଥିଲା। ଯେଉଁଠି ଭିଡ କମ୍ ରାହୁଲ ସେଠାରେ କିଛି କ୍ଷଣ ଛିଡା ହୋଇ ଲୋକଙ୍କ ସହ ମିଶୁଥିଲେ।
ଯାତ୍ରା ପରାମର୍ଶରେ କୁହାଯାଇଥିଲା ଯେ ଯତ୍ରା ସକାଳ ପାଖାପାଖି ୧୦ଟା ବେଳେ ଆରମ୍ଭ ହେବ ଓ ଅପରାହ୍ନ ସାଢେ ୪ଟା ବେଳେ ଲାଲ କିଲ୍ଲା ନିକଟରେ ସମାପ୍ତ ହେବ। ଏଣୁ ଲୋକଙ୍କୁ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଲୋକଙ୍କୁ ପାଦରେ ଚାଲିଚାଲି ଓ ବାହନରେ ଯାଉଥିବାରୁ ଭିଡ ହେବ ବୋଲି ସତର୍କ କରାଯାଇଥିଲା। ସେହିପରି ବଦରପୁର ବର୍ଡରରୁ ଲାଲକିଲ୍ଲା ପର୍ଯ୍ୟନ୍ତ ରାସ୍ତା ଭିଡ ହେବ ବୋଲି ପୂର୍ବରୁ ସତର୍କ କରାଯିବା ସହ ଲୋକଙ୍କୁ ବ୍ୟକ୍ତିଗତ ବାହନ ଅପେକ୍ଷା ସାର୍ବଜନିକ ବାହନରେ ଯାତାୟାତ ଲାଗି ପରାମର୍ଶ ଦିଆଯାଇଥିଲା।