୨୩ ଫେବୃଆରୀରେ ଭାରତ ବନ୍ଦ ଡାକରା
17/02/2020 at 8:21 PM

ନୂଆଦିଲ୍ଲୀ ୧୭.୦୨- ଆସନ୍ତା ୨୩ ତାରିଖକୁ ଭାରତ ବନ୍ଦ ଡାକରା ଦେଇଛନ୍ତି ଭୀମ ଆର୍ମ ନେତା ଚନ୍ଦ୍ରଶେଖର ଆଜାଦ । ଆରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଏକ ନିର୍ଦ୍ଦେଶର ବିରୋଧକରି ଭୀମ ଆର୍ମୀ ନେତା ଏହି ଡାକରା ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ନିକଟରେ ଏକ ମାମାଲାରେ ପଦୋନ୍ନତିରେ ଆରକ୍ଷଣ ପ୍ରସଙ୍ଗରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । କିନ୍ତୁ ଭୀମ ଆର୍ମୀ ତାହାର ବିରୋଧ କରୁଛି ।ଏପରିକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପ୍ରତିବାଦରେ ଗତ ୧୬ ତାରିଖ ଦିନ ଭୀମ ଆର୍ମୀ କର୍ମୀମାନେ ଦିଲ୍ଲୀର ମଣ୍ଡିିହାଉସରୁ ସଂସଦ ଭବନ ପର୍ଯ୍ୟନ୍ତ ଏକ ରାଲି କରିଥିଲେ । ଏହାର ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ଏବେ ଭାରତ ବନ୍ଦ ଲାଗି ଅଣ୍ଟା ଭିଡିଛି ଭୀମ ଆର୍ମୀ । ୨୩ ତାରିଖରେ ଦେଶ ବ୍ୟାପି ଆନ୍ଦୋଳନର ଆହ୍ବାନ ଦେଇ ଭାରତ ବନ୍ଦ ଡାକରା ଦେଇଛି ।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ସହ ସଂପୃକ୍ତ ଏକ ମାମଲାର ଶୁଣାଣି କରି କହିଥିଲେ ଯେ, ଚକିରିରେ ପଦୋନ୍ନତି କ୍ଷେତ୍ରରେ ଆରକ୍ଷଣ ବା କୋଟା ବ୍ୟବସ୍ଥା କୌଣସି ପ୍ରକାର ମୌଳିକ ଅଧିକାର ଅନ୍ତର୍ଭୁକ୍ତ ନୁହେଁ ବା ସେଥିରେ ଆସୁନାହିଁ । ତେବେ ଭୀମଆର୍ମି ନେତା ଚନ୍ଦ୍ରଶେଖର ଏହାର ବିରୋଧ କରିଛନ୍ତି । ଟ୍ବିଟର ପେଜ୍ରେ ସେ ତାଙ୍କ ଆଭିମୁଖ୍ୟ ରଖି ଆରକ୍ଷଣରେ କୌଣସି ପ୍ରକାର ପରିବର୍ତ୍ତନକୁ ଗ୍ରହଣ କରିହେବନି ବୋଲି ଦର୍ଶାଇଛନ୍ତି । ଅଦାଲତଙ୍କ ରାୟ ବିରୋଧରେ ମତ ରଖିଥିବା ଚନ୍ଦ୍ରଶେଖର ଏହି ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳଙ୍କୁ ମଧ୍ୟ ନିବେଦନ କରି ଦେଶ ବ୍ୟାପି ଆନ୍ଦୋଳନରେ ସାମିଲ ହେବା ଲାଗି ଆହ୍ବାନ କରିଛନ୍ତି ।
ତେବେ ଭୀମ ଆର୍ମୀ ନେତାଙ୍କ ଯୁକ୍ତି କିମ୍ବା ଭାରତ ବନ୍ଦ ଆହ୍ବାନ ସପକ୍ଷରେ ଏବେ ସୁଦ୍ଧା କୌଣସି ସଂଗଠନ ବା ଦଳ ମତ ରଖିନାହାନ୍ତି । ତା ସହ ଭୀମ ଆର୍ମୀ ର ସଂଗଠନ ସେପରି ପ୍ରଭାବୀ ହୋଇନଥିବାବେଳେ , ଏହାର ଅସ୍ତିତ୍ବ ମଧ୍ୟ ଖୁବ କମ୍ ସ୍ଥାନରେ ସୀମିତ ଥିବାରୁ ଏହି ବନ୍ଦ ପ୍ରତି ସେପରି କିଛି ସମର୍ଥନ ମିଳିବା ମଧ୍ୟ ସନ୍ଦେହ ।