ଟ୍ୱିନ୍ ସିଟିରେ ଭାରତ ବନ୍ଦର ପ୍ରଭାବ: ବ୍ୟାଙ୍କ ସାମ୍ନାରେ କଂଗ୍ରେସ କର୍ମୀଙ୍କ ଭଙ୍ଗାରୁଜା, ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତା ଧସ୍ତି

Published By : Prameya-News7 Bureau | December 08, 2020 IST

ଭୁବନେଶ୍ୱର ୦୮/୧୨ : କେନ୍ଦ୍ର ସରକାରଙ୍କ କୃଷି ନୀତି ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ପାଳନ କରାଯାଇଛି । ଟ୍ବିନ ସିଟିରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ବିଭିନ୍ନ ଛକରେ କଂଗ୍ରେସ ସମେତ ବାମପନ୍ଥୀ ସଂଗଠନର କର୍ମୀମାନେ ପିକେଟିଂ କରିଥିଲେ । ଟ୍ରେନ ବସ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀ ପରିବହନ ବାଧାପ୍ରାପ୍ତ ହୋଇଥିଲା ।କଟକର ଏକ ବ୍ୟାଙ୍କ ସାମ୍ନାରେ କଂଗ୍ରେସ କର୍ମୀମାନେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।

{"id":374647,"sizeSlug":"large"}

ଭାରତ ବନ୍ଦର ପ୍ରଭାବ । ରାଜଧାନୀରେ ଅଖ ଚକ ବନ୍ଦ । ସକାଳୁ ସକାଳୁ ମାଷ୍ଟର କ୍ୟାଣ୍ଟିନ ଛକରେ ପିକେଟିଂ କରିଥିଲେ କଂଗ୍ରେସ ସମେତ ବାମପନ୍ଥୀ ଦଳ । କୃଷି ଆଇନକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜୀ କରିଥିଲେ ।ଷ୍ଟେସନରେ ଟ୍ରେନ ଚଳାଚଳ ବନ୍ଦ ଥିବା ବେଳେ ରାଜଧାନୀରୁ ଗୋଟିଏ ବି ବସ୍ ଗଡିନଥିଲା । ପିଲା ଛୁଆଙ୍କୁ ଧରି ବସ୍ ଷ୍ଟାଣ୍ଡରେ ଏବଂ ଷ୍ଟେସନରେ ଅଟକି ରହିଥିଲେ ଯାତ୍ରୀ । ଦୋକାନ ବଜାର ବି ଅନେକାଂଶରେ ବନ୍ଦ ଥିଲା । କଂଗ୍ରେସ ଓ ବାମପନ୍ଥୀ ନେତାମାନେ ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ ପୋଲିସ ସହ ଧସ୍ତା ଧସ୍ତି ହୋଇଥିଲା । ସେହିପରି ନବନିର୍ମାଣ କୃଷକ ସଂଗଠନର କର୍ମୀମାନେ ରାଜଧାନୀରେ ବାଇକ ରାଲି କରି ପିକେଟିଂ କରିଥିଲେ । ଚାଷୀଙ୍କ ସମର୍ଥନରେ ଶୀଖ ସମ୍ପ୍ରଦାୟର ଲୋକମାନେ ଶ୍ରୀୟା ଛକରୁ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରତିବାଦ କରିଥିଲେ । ଭୁବନେଶ୍ବରର ପ୍ରମୁଖ ଛକ ସତସଙ୍ଗ ବିହାର, ପଳାଶୁଣି, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ରାସ୍ତା ଅବରୋଧ ସହ ଗାଡି ଚଳାଚଳ ବନ୍ଦ ରହିଥିଲା ।

{"id":374648,"sizeSlug":"large"}

ସର୍ବାଭାରତୀୟ କୃଷକ ଆନ୍ଦୋଳନର ପ୍ରଭାବ କଟକରେ ମଧ୍ୟ ପଡିଛି ।ସର୍ବଦା ଚଳଚଞ୍ଚଳ କଟକ ସହର ବେଶ କେଇଘଣ୍ଟା ଯାଏଁ ଠପ୍‌ ହୋଇଯାଇଥିଲା । କଂଗ୍ରେସ କର୍ମୀମାନେ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ସମେତ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ତେବେ ବାଦମବାଡି ଛକରେ ଆନ୍ଦୋଳନ ଚାଲିଥିବା ବେଳେ ଏକ ବ୍ୟାଙ୍କ ଆଗରେ କଂଗ୍ରେସ କର୍ମୀମାନେ ହୋହଲ୍ଲା କରିଥିଲେ । ପରେ ଭଙ୍ଗାରୁଜା ବି କରିଥିଲେ । ଗଣ୍ଡୋଗୋଳ ଆଶଙ୍କାରେ ପୁଲିସ କଂଗ୍ରେସ ନେତା ଓ କର୍ମୀ ମାନଙ୍କୁ ଗିରଫ କରିଥିଲା ।ମଧୁପାଟଣା ଛକରେ ଆନ୍ଦୋଳନକାରୀମାନେ ମାନବ ଶୃଙ୍ଖଳ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

{"id":374649,"sizeSlug":"large"}

ନୂତନ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ବାମପନ୍ଥୀ ନେତା । ବନ୍ଦ ପାଇଁ ଭୁବନେଶ୍ବରରେ ୧୫ ପ୍ଲାଟୁନ ସମେତ ଟ୍ବିନ ସିଟିରେ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ୧୦୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ରଖିଛି ।ତେବେ କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ।

{"id":374650,"sizeSlug":"large"}

ବନ୍ଦ ଡାକରା ଯୋଗୁଁ ଟ୍ବିନ ସିଟିରେ ଜୀବନଯାତ୍ରା ବେଶ୍‌ କେଇଘଣ୍ଟା ଯାଏଁ ପ୍ରଭାବିତ ହୋଇଥିଲା । ତେବେ ଅପାରାହ୍ନ ବେଳକୁ ସ୍ଥିତି ସ୍ବାଭାବିକ ହୋଇଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.