ବାହାନଗା ଟ୍ରେନ ଟ୍ରାଜେଡ଼ି: ଅପ୍ ଲାଇନ୍ ଟ୍ରାକ ଲିଙ୍କ୍ କାମ ସଂପୂର୍ଣ୍ଣ, ଶୀଘ୍ର ଗୋଟିଏ ରୁଟ୍ରେ ଚାଲିପାରେ ଟ୍ରେନ
4/06/2023 at 6:38 PM

ବାଲେଶ୍ଵର: ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଜୋରସୋରରେ ଚାଲିଛି ମରାମତି କାମ । କଳେ ବଳେ କୌଶଳେ ଗୋଟିଏ ଲାଇନ୍କୁ ପୁରା ତିଆରି କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି। ଏହି କ୍ରମରେ ଦୁର୍ଘଟଣାସ୍ଥଳରେ ଅପ୍ ଲାଇନ୍ ଟ୍ରାକ ଲିଙ୍କ୍ କାମ ସଂପୂର୍ଣ୍ଣ ହୋଇଛି। ଅପରାହ୍ନ ୪ଟା ୪୫ରେ କାମ ସରିବା ପରେ ଓଭରହେଡ୍ ବିଦ୍ୟୁତକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ରବିବାର ସନ୍ଧ୍ୟାରେ ଟୁଇଟ୍ କରି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।

ରେଳ ବିଭାଗର ଦେଢ଼ ହଜାର କର୍ମଚାରୀ ଟ୍ରାକ ନିର୍ମାଣ କାମରେ ଲାଗିଛନ୍ତି । ଆଜି ରାତି କିମ୍ବା ଆସନ୍ତାକାଲି ଟ୍ରେନ ଚାଲିବା ନେଇ ସମ୍ଭାବନା ରହିଛି। ପ୍ରାୟ ୫ ଶହ ମିଟର ରେଳ ଲାଇନ୍କୁ ନୂଆ ଭାବେ ନିର୍ମାଣ କରିବାକୁ ପଡ଼ିବ । ତେଣୁ ସବୁ ନୂଆ ମ୍ୟାଟେରିଆଲ ଲଗାଯାଉଛି । ସେପଟେ ଯଶବନ୍ତପୁର-ହାୱଡା ଏକ୍ସପ୍ରେସ ଯାଉଥିବା ରୁଟ୍କୁ ଲିଙ୍କ କରି ଦିଆଯାଇଛି ବୋଲି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଟୁଇଟ୍ କରିଛନ୍ତି । ୪ ଟା ୪୫ ସୁଦ୍ଧା ତାହା ଶେଷ ହୋଇଥଲା। କେବଳ ଓଭର ହେଡ ଇଲେକ୍ଟ୍ରିଫିକେଶନକୁ ଠିକ୍ କରାଯାଉଛି। ଯେତେ ଶୀଘ୍ର ସରିବ ସେତେ ଗୋଟିଏ ରୁଟରେ ଶୀଘ୍ର ଟ୍ରେନ ଚଳାଚଳ ହେବ ବୋଲି ଜଣା ପଡ଼ିଛି।

ଟ୍ରାକର ମରାମତି ପାଇଁ ୭ରୁ ଅଧିକ ପୋକଲେନ ମେସିନ, ୨ ଦୁର୍ଘଟଣା ରିଲିଫ ଟ୍ରେନ, ୩-୪ ଟ୍ରେନ ସହ ରୋଡ୍ କ୍ରେନ ନିୟୋଜିତ ରହିଥିବାଦକ୍ଷିଣ ପୂର୍ବ ରେଲଓ୍ଵେର ସିପିଆରଓ କହିଛନ୍ତି। ଯେତେ ବଗି ଓଲଟିଥିଲା ସବୁ ଟ୍ରାକରୁ ହଟା ଯାଇଛି। ବିଦ୍ୟୁତୀକରଣ କାମ ଜୋରସୋରରେ ଚାଲିଛି। ବୁଧବାର ସକାଳ ସୁଦ୍ଧା ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି।
ରେଳ ଅଧିକାରୀ କହିଛନ୍ତି, ଶନିବାର ରାତି ସାରା ବୁଲଡୋଜର ଏବଂ କ୍ରେନ ସାହାଯ୍ୟରେ ଟ୍ରେନ ଲାଇନରୁ କ୍ଷତିଗ୍ରସ୍ତ ବଗିକୁ ହଟା ଯାଇଛି। ଦୁର୍ଘଟଣା ସମୟରେ କ୍ଷତିଗ୍ରସ୍ତ ଇଲେକ୍ଟ୍ରିକ ଲାଇନ ଏବଂ ଟ୍ରାକର ମରାମତି କାମ ଜାରି ରହିଛି। ରେଳ ବିଭାଗର କର୍ମଚାରୀ ଦିନ ରାତି ୨୪ ଘଣ୍ଟା କାମରେ ଲାଗିଛନ୍ତି।