ଜେଲରେ କେଜରିୱାଲଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ମିଳିଲା ଅନୁମତି

Published By : Prameya-News7 Bureau | April 12, 2024 IST

ନୂଆଦିଲ୍ଲୀ ୧୨।୪: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ  ଅରବିନ୍ଦ କେଜରିୱାଲଙ୍କୁ ଭେଟିବା ଲାଗି ଅନୁମତି ମିଳିଛି। ସେ ଏପ୍ରିଲ ୧୫ ତାରିଖ ଦିନ ତିହାର ଜେଲ ନମ୍ବର ୨ରେ କେଜରିୱାଲଙ୍କୁ ଭେଟିବେ। ଏହା ପୂର୍ବରୁ ମାନ ଓ ସଞ୍ଜୟ ସିଂହ ଏପ୍ରିଲ ୧୦ ତାରିଖ ଦିନ ଭେଟିବାର ଥିଲା। ତେବେ ସୁରକ୍ଷାଗତ କାରଣ ପାଇଁ ପ୍ରଶାସନ ସେମାନଙ୍କୁ ଭେଟିବାକୁ ଅନୁମତି ଦେଇ ନଥିଲା। ହେଲେ ଏହି ସାକ୍ଷାତ ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଜେଲ ଅଧିକାରୀ, ଦିଲ୍ଲୀ ପୋଲିସ ଓ ପଞ୍ଜାବ ପୋଲିସ ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇଥିଲା। 

ଏହି ବୈଠକରେ ପଞ୍ଜାବ ଏଡିଜି ସିକ୍ୟୁରିଟି ଏ.କେ.ପାଣ୍ଡେ, ଡିଜି ଜେଲ ସଞ୍ଜୟ ବେନିୱାଲ, ଡିଆଇଜି ରାଜୀବ ସିଂହ ପରିହାର, ଜେଲ ଓ ଦିଲ୍ଲୀପୋଲିସ ଅଧିକାରୀ ଯୋଗ ଦେଇଥିଲେ। ବୈଠକର ନିଷ୍ପତ୍ତି ଅନୁସାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ୧୫ ଏପ୍ରିଲ ମଧ୍ୟାହ୍ନ ୧୨ଟା ବେଳେ ଭେଟିପାରିବେ। ତେବେ କେଜରିୱାଲଙ୍କ ସହିତ ଏହି ସାକ୍ଷାତ ଆଲୋଚନାରେ ସଞ୍ଜୟ ସିଂହ ରହିବେ କି ନା ତାହା ସ୍ପଷ୍ଟ ହୋଇନି। 

ଅରବିନ୍ଦ କେଜରିୱାଲ ଦିଲ୍ଲୀ ମଦ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାଲମରେ ଗିରଫ ହେବାପରେ ଏବେ ୧୫ ଏପ୍ରିଲ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ଅଛନ୍ତି। ତିହାର ଯିବା ପରେ କେଜରିୱାଲ ଜେଲରେ ତାଙ୍କୁ ଭେଟିବା ଲୋକଙ୍କ ମଧ୍ୟରେ ପତ୍ନୀ ସୁନିତା କେଜରିୱାଲ, ପୁଅ ଓ ଝିଅ ଏବଂ ତାଙ୍କ ବ୍ୟାକ୍ତିଗତ ସଚିବଙ୍କ ନାମ ଲେଖାଇଥିଲେ। ଏବେ ଏହି ତାଲିକାରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନାମକୁ ମଧ୍ୟ ସାମିଲ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.