ମୁଡ୍ ରେ ନାହାଁନ୍ତି ସରକାର : ଭାଗଚାଷୀ ଆଇନ ଗଲା ଶୀତଳ ଭଣ୍ଡାରକୁ !
Published By : Prameya-News7 Bureau | September 27, 2018 IST

ଭାଗଚାଷୀ ଆଇନ ଗଲା ଶୀତଳ ଭଣ୍ଡାରକୁ । ଏବେ ଆଉ ଭାଗଚାଷୀ ଆଇନ ହେବାର ନାହିଁ କି ଏଥିପାଇଁ ଗଠିତ ମନ୍ତ୍ରୀ ସ୍ତରୀୟ କମିଟି ଆଉ ବସିବାର ନାହିଁ ବୋଲି ଖୋଦ୍ ରାଜସ୍ବମନ୍ତ୍ରୀ କହିବା ପରେ କଥା ସ୍ପଷ୍ଟ ହୋଇଗଲା । ବର୍ଷେ ତଳୁ ଏହି ଆଇନ ଆସିଯିବା କଥା । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ବି ଏକପ୍ରକାର ସରିଆସିଥିଲା । କିନ୍ତୁ ସରକାର ଏବେ ଏଥିରୁ ପଛଘୁଞ୍ଚା ଦେଇଛନ୍ତି । ତେଣୁ ଭାଗଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଇନପୁଟ ସବସିଡି, ଶସ୍ୟ ବୀମା ଆଦି ସୁବିଧା ଦେବାକୁ ଏକ ନିର୍ଦିଷ୍ଟ ଆଇନ ଆସିବ ବୋଲି ଯେଉଁ ଯୋଜନା ଥିଲା ତାହା ଫୁସକି ଯାଇଛି । ବୋଧହୁଏ ୫ ଜଣିଆ ଜଏଣ୍ଟ ଲାଏବିଲିଟି ଗ୍ରୁପ୍ କରି ସବସିଡି, ଶସ୍ୟ ବୀମା, କୃଷି ଋଣ ଆଦି ସରକାରୀ ସୁବିଧା ଦେବା ଯୋଜନାରେ ଅଛନ୍ତି ସରକାର ।
ଭାଗଚାଷୀ ଆଇନ ଆଣିବା ମୁଡ୍ ରେ ନାହାଁନ୍ତି ସରକାର । ରାଜ୍ୟରେ ଭାଗଚାଷୀ ଚିହ୍ନଟ କରି ସେମାନଙ୍କୁ ଇନପୁଟ ସବସିଡି, ଶସ୍ୟ ବୀମା ଓ ବନ୍ୟାବାତ୍ୟା ଆଦି ବିଭିନ୍ନ କ୍ଷୟକ୍ଷତି ଭରଣା ପାଇ ଯେଉଁ ଆଇନ କରିବାକୁ ପ୍ରକ୍ରିୟା ଚାଲିଥିଲା ସେଥିରେ ଏକପ୍ରକାର ଡୋରି ବନ୍ଧା ସରିଲାଣି । ଗତ ବର୍ଷ ସେପ୍ଟେମ୍ବରରେ ନୂଆ ଆଇନ ଆସିବା ଯୋଜନା ଥିଲେ ବି ଏଯାଏଁ ସେକଥା ଆଗକୁ ବଢୁନି । ଆଜି କିନ୍ତୁ ରାଜସ୍ବ ମନ୍ତ୍ରୀ କହୁକହୁ କହିଦେଇଛନ୍ତି ଯେ ଏଥିପାଇଁ ଗଠିତ ମନ୍ତ୍ରୀ ସ୍ତରୀୟ ବୈଠକ ଆଉ ବସିବାର ନାହିଁ । ମନ୍ତ୍ରୀ କହିଛନ୍ତି ଜମି ମାଲିକ ଓ ଭାଗଚାଷୀଙ୍କ ସ୍ବାର୍ଥ କିଭଳି ରକ୍ଷା ହେବ ସେନେଇ ସରକାର ନିର୍ଯାସରେ ପହଁଛି ପାରୁନାହାଁନ୍ତି । ତେଣୁ ତାଉପରେ ଆଉ ଏବେ ଚିନ୍ତା କରିବାର ନାହିଁ ।
୨ ବର୍ଷ ତଳେ ଫସଲ ହାନି କାରଣରୁ ଯେତେବେଳେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢି ଚାଲିଥିଲା ସେତେବେଳେ ଭାଗଚାଷୀଙ୍କ ସ୍ବାର୍ଥ ସୁରକ୍ଷା କରିବାକୁ ଭାଗଚାଷୀ ଆଇନ ଆସିବ ବୋଲି ସରକାର କହିଥିଲେ । କାରଣ ସେତେବେଳେ ଭାଗଚାଷ କରୁଥିବା ଚାଷୀ ବେଶି ଆତ୍ମହତ୍ୟା କରୁଥିବା ନେଇ ଖବର ଆସୁଥିଲା । ଏଥିପାଇଁ ରାଜସ୍ବମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଥିଲା । ଯେଉଁଥିରେ ସମବାୟ, କୃଷି, ପଞ୍ଚାୟତିରାଜ, ଓ ଆଇନ ବିଭାଗର ମନ୍ତ୍ରୀ ମାନେ ସଦସ୍ୟଥିଲେ । ତହସିଲଦାର ଓ ଆରଆଇଙ୍କ ମାଧ୍ୟମରେ ମାଲିକ ଓ ଭାଗଚାଷୀ ମତାମତ ବି ସଂଗ୍ରହ କରାଯାଇ ଏକ ଡ୍ରାଫ୍ ରିପୋର୍ଟ ପ୍ରସ୍ତୁତ ସରିଥିଲା । ହେଲେ କଣ ହେଲା କେଜାଣି ଆଇନ କରିବା ଦିଗରେ ଆଗ୍ରହ ଦେଖାଇ ନଥିଲେ ସରକାର । ଯେଉଁକଥାକୁ କିଛିଦିନ ତଳେ ଉଠାଇଥିଲେ ପୂର୍ବତନ କୃଷିମନ୍ତ୍ରୀ ଦାମୋଦର ରାଉତ । ଭାଗଚାଷୀ ଚିହ୍ନଟ ନକରି କିଭଳି ସରକାର ସରକାରୀ ସହାୟତା ଚାଷୀଙ୍କୁ ଠିକ୍ ଭାବେ ପହଁଚାଇବେ ବୋଲି ଦାମ ପ୍ରଶ୍ନ କରିଥିଲେ । ଆଜି ମନ୍ତ୍ରୀ ଭାଗଚାଷୀ ଆଇନ ଏବେ ହେବାର ନାହିଁ କହିବା ପରେ ବିରୋଧି ଘେରିଛନ୍ତି ସରକାରଙ୍କୁ । ଚାଷୀଙ୍କୁ ସରକାର ଠକିଦେଲେ ବୋଲି ବିରୋଧି ଅଭିଯୋଗ କରିଛନ୍ତି ।
ଜମି ମାଲିକଙ୍କ ସ୍ବାର୍ଥକୁ ସୁରକ୍ଷା ଦେଇ ଭାଗଚାଷୀଙ୍କୁ କିଭଳି ନ୍ୟାୟ ମିଳିବ ସେନେଇ ନିତି ଆୟୋଗ ନୂଆ ଆଇନ ଆଣିଥିଲେ । ତାହାରି ଆଧାରରେ ଓଡିଶା ସରକାର ବି ନୂଆ ଭାଗଚାଷୀ ଆଇନ ଆଣିବେ ବୋଲି ଘୋଷଣା କରିଥିଲେ । ଏବେ ଯେହେତୁ ଜଏଣ୍ଟ ଲାଏବିଲିଟି ଗ୍ରୁପ୍ ମାଧ୍ୟମରେ ସରକାର କୃଷକମାନଙ୍କୁ ସହାୟତା ଦେଇ କାମ ଚଳାଇବା ଯୋଜନାରେ ଅଛନ୍ତି ସେଥିପାଇଁ ଭାଗଚାଷୀ ଆଇନକୁ ଶୀତଳ ଭଣ୍ଡାରକୁ ପଠେଇଦେଲେ ବୋଲି କୁହାଯାଉଛି ।..