ନାବାଳିକା ବେଳେ ପ୍ରେମ ସାବାଳିକା ପରେ ବିବାହ: ଅଗ୍ନିକୁ ସାକ୍ଷୀ ରଖି ଜୀବନ ସାଥିର ହାତ ଧରିଲେ ପ୍ରୀତିଶ୍ରୀ, ହେଲେ ଏହି ଲଭ୍‌ ଷ୍ଟୋରୀ ଦମ୍‌ଦାର

Published By : Prameya-News7 Bureau | November 11, 2022 IST

ଭଦ୍ରକ: ଅନେକ ବାଧାବିଘ୍ନ ପରେ ଅଗ୍ନିକୁ ସାଖି ରଖି ପରସ୍ପରର ହାତ ଧରିଲେ ଦୁଇ ପ୍ରେମ ପକ୍ଷୀ। ପ୍ରେମ ପାଇଁ ପରିବାର ବନ୍ଧୁ ସୋଦରଙ୍କୁ ସୂଦୁରରେ ଛାଡ଼ି ଚାଲିଆସିଛନ୍ତି ଭଦ୍ରକର ପ୍ରୀତିଶ୍ରୀ। ଏବେ ସେ ବିଶ୍ୱାସ ଓ ଭରସାରେ ଅଶୋକଙ୍କ ହାତ ଧରି ଚାଲିବେ ଜୀବନ ପଥ। ଏଇଠୁ ଆରମ୍ଭ ହେଲା ଦୁଇ ପ୍ରେମ ପକ୍ଷୀଙ୍କ ଜୀବନ ଯାତ୍ରା।

ଭଦ୍ରକର ଏହି ପ୍ରେମ ପକ୍ଷୀଙ୍କର କାହାଣୀ ଖୁବ୍ ନିଆରା। ନାବାଳକ ବୟସରେ ପ୍ରେମ, ସାବାଳକ ପରେ ବିବାହ। ଆଉ ଏହାରି ଭିତରେ ଉଭୟଙ୍କୁ ସହିବାକୁ ପଡ଼ିଛି ଲାଞ୍ଛନା ନିର୍ଯାତନା। ସମାଜ ଓ ପରିବାରର କଟକଣା। ହେଲେ ପ୍ରେମ ତ ଅନ୍ଧ। ନାବାଳିକା ବୟସରେ ଆଗରପଡ଼ାର ଅଶୋକ ରାଉତଙ୍କୁ ଭଲପାଇ ବସିଲେ ଧୁସୁରୀ ଅଞ୍ଚଳର ପ୍ରୀତିଶ୍ରୀ। ହେଲେ ବୟସ କମ୍ ଥିବା ଯୋଗୁ ପରିବାର ଲୋକେ ବିରୋଧ କରିଥିଲେ।

ଏମିତିକି ଅଶୋକଙ୍କ ନାଁରେ ଧୁସୁରି ଥାନାରେ ଏଥଲା ବି ଦେଇଥିଲେ ପରିବାର ଲୋକେ। ଅନେକ ଅପ୍ରୀତିକର ପରିସ୍ଥିତି ଭିତରେ କଥା କୋର୍ଟକୁ ଯାଇଥିଲା। ହେଲେ ପ୍ରୀତିଶ୍ରୀଙ୍କ ଗୋଟିଏ ଜିଦ୍, ମୁଁ ବାହା ହେବି ତ ଅଶୋକଙ୍କୁ ହିଁ ବାହା ହେବି।

କୋର୍ଟରେ ବିଚାର ହେଲା କିନ୍ତୁ ଘରକୁ ଫେରିଲେନି ପ୍ରୀତିଶ୍ରୀ। ଅନେକ ବୁଝସୁଝା ପରେ ଶେଷରେ ମୁକ୍ତାଶ୍ରୟ କେନ୍ଦ୍ର ଆସିଆନା ରହିଲେ ପ୍ରୀତିଶ୍ରୀ ସାହୁ। ନାବାଳିକା ପ୍ରୀତିଶ୍ରୀଙ୍କୁ ବୁଝାଇ ସୁଝାଇ ଘରକୁ ନେବାକୁ ଅନେକ ଚେଷ୍ଟ କରିଥିଲେ ପରିବାର ଲୋକେ। ହେଲେ ସେ କିନ୍ତୁ ଆସିଆନାରେ ଅପେକ୍ଷା କରିଥିଲେ ବୟସର ବନ୍ଧନ ପାର୍ ହେଇ ଅଶୋକଙ୍କ ସହ ଆଉ ଏକ ଆସିଆନା ଗଢ଼ିବାକୁ।

ସମୟ ଗଡ଼ିବା ସହ ନାବାଳିକାରୁ ସାବାଳିକା ହୋଇଥିଲେ ପ୍ରୀତିଶ୍ରୀ। ଆଶ୍ରମ ପକ୍ଷରୁ ଆଇନ ଅନୁସାରେ ତାଙ୍କୁ କାଉନସେଲିଂ କରାଯାଇଥିଲା। ପ୍ରୀତିଶ୍ରୀ ଅଶୋକଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିବା ପରେ ଆସିଆନା ପକ୍ଷରୁ ଉଭୟ ପରିବାର ସହିତ ସମ୍ପର୍କ କରାଯାଇଥିଲା।

ଅଶୋକଙ୍କ ପରିବାର ପ୍ରୀତିଶ୍ରୀଙ୍କୁ ବୋହୂ ଭାବରେ ସ୍ୱୀକାର କରିବା ପରେ ଭଦ୍ରକ ଲୋକନାଥ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ହେଲେ ଏହି ବିବାହରେ ପ୍ରୀତିଶ୍ରୀଙ୍କ ପରିବାର ଲୋକେ ଅନୁପସ୍ଥିତ ଥିଲେ।

ଉଭୟଙ୍କୁ ଅପେକ୍ଷା କରିବାକୁ ପଡ଼ିଲା ସତ ଶେଷରେ ଏକାଠି ହେଲେ ଦୁଇ ପ୍ରେମ ପକ୍ଷୀ। ନା ବୟସର ବନ୍ଧନ ନା ପରିବାରର ଆକଟ ଦୁହିଁଙ୍କୁ କେହି ଅଲଗା କରିପାରିଲେନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.