ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଦେଖିଲେ ବିଧାୟକ, ସୁଧାରିବାକୁ ୧୫ ଦିନର ଅଲଟିମେଟମ୍ ଦେଲେ ସ୍ଥାନୀୟ ବାସିନ୍ଦା

Published By : Prameya-News7 Bureau | December 21, 2022 IST

ଭଦ୍ରକ ୨୧/୧୨: ୧୯୬୨ରୁ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ନିବାସ ଏବେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । କିନ୍ତୁ ସେତେବେଳେ ମିଳୁଥିବା ସୁବିଧା ଯୋଗାଇ ପାରୁନାହିଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ବହୁ ଅଭିଯୋଗ ପରେ ଏବେ ଅବ୍ୟବସ୍ଥା ବୁଲି ଦେଖିଛନ୍ତି ବିଧାୟକ ଓ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ । କିନ୍ତୁ ଅବ୍ୟବସ୍ଥାକୁ ୧୫ ଦିନରେ ସୁଧାରିବା ପାଇଁ ଅଲଟିମେଟମ ଦେଇଛନ୍ତି ଭଦ୍ରକ ଜିଲ୍ଲା ଅସୁରାଳି ବାସିନ୍ଦା ।

୧୯୬୨ମସିହାରେ କେଶବ ମହାପାତ୍ର ତାଙ୍କ ସ୍ତ୍ରୀଙ୍କ ନାଁରେ ପାର୍ବତୀ ସ୍ୱାସ୍ଥ୍ୟ ନିବାସ ନାମରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ । ଆରମ୍ଭ ଦିନ ରୁ ୬ ମାସ ଧରି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦରମା ସହ ରୋଗୀଙ୍କ ମେଡ଼ିସିନ ଖର୍ଚ୍ଚ ମଧ୍ୟ ନିଜେ ବହନ କରିଥିଲେ । କିନ୍ତୁ ପରେ ପରେ ସରକାର ଏହି ସ୍ବାସ୍ଥ୍ୟକେନ୍ଦ୍ରଙ୍କୁ ନିଜ ହାତକୁ ନେଇଥିଲେ । ତା ପରଠାରୁ ଏବେ ପର୍ଯ୍ୟନ୍ତ ଅବ୍ୟବସ୍ଥା ମଧ୍ୟ ଦେଇ ଗତି କରୁଛି ।

ନିୟମିତ ଡାକ୍ତର ନଥିବା ବେଳେ ଜଣେ ଅବସରପ୍ରାପ୍ତ ଡାକ୍ତର , ଜଣେ ଆୟୁଷ ଡାକ୍ତର ଓ ଜଣେ ଅସ୍ଥାୟୀ ଡାକ୍ତରଙ୍କୁ ନେଇ ଚାଲିଛି କେନ୍ଦ୍ର । ଆଖପାଖ ୭ ପଞ୍ଚାୟତର ପ୍ରାୟ ୩୦ ହଜାରରୁ ଅଧିକ ଲୋକେ ମଧ୍ୟ ନିର୍ଭର କରନ୍ତି । କିନ୍ତୁ ଅନେକ ଥର ଦାବି ପରେ ଏବେ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ଧାମନଗର ବିଧାୟକ ଅସୁରାଳି ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଦେଖିଛନ୍ତି । ସ୍ଥାନୀୟ ଲୋକ ଓ ସରପଞ୍ଚ ଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।

ଅବ୍ୟବସ୍ଥାର ସମାଧାନ ପାଇଁ ଜଣ ସ୍ଵାସ୍ଥ୍ୟ ଅଧିକାରୀ ଓ ଟେକନିକାଲ ଟିମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ ଦେବେ ଓ ପରେ ଆବଶ୍ୟକୀୟ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । କିନ୍ତୁ ସ୍ଥାନୀୟ ଲୋକେ ମେଡିକାଲର ସୀମା ନିର୍ଦ୍ଧାରଣ, ପାଚେରୀ ନିର୍ମାଣ, ସ୍ଥାୟୀ ଡାକ୍ତର ଭଳି ସୁବିଧା ଉପଲବ୍ଧ ନେଇ ଦାବି ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.