କିନ୍ନରମାନେ କରନ୍ତି ବହୁଚରା ମାତାଙ୍କ ପୂଜା, କାହିଁକି କରାଯାଏ ଏହି ପୂଜା ?
5/02/2023 at 2:34 PM

ଭଦ୍ରକ 05/02 : ଅନେକ ପୀଠ ଅଛି ଯେଉଁଠି ମାନସିକ କରନ୍ତି ଶ୍ରଦ୍ଧାଳୁ। ଆଉ ମାନସିକ ପୁରଣ ହେଲେ ପୂଜା କରନ୍ତି। କିନ୍ତୁ ଜାଣନ୍ତି କି କିନ୍ନର ମାନେ ବି ମାନସିକ ରଖି କରନ୍ତି ପୂଜା। ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ନୂଆ ବସଷ୍ଟାଣ୍ଡ ନିକଟରେ । ଏକ କଲ୍ୟାଣ ମଣ୍ଡପରେ ଏଥର ବହୁଚରା ମାତାଙ୍କ ପୂଜା ଆୟୋଜିତ ହୋଇଛି। ଏହି ପୂଜାରେ ବହୁ ଅତିଥି ଯୋଗ ଦେଇ ଆଶୀର୍ବାଦ ନେଇଛନ୍ତି। ମାନସିକ ପୂରଣ ଓ ସର୍ବ ମଙ୍ଗଳ ପାଇଁ ଏହି ବହୁଚରା ମାତାଙ୍କ ପୂଜା। କିନ୍ନର ସମାଜର ଏହି ପୂଜା ବିରଳ କିନ୍ତୁ ମହା ଆଡମ୍ବରରେ ପାଳିତ ହୁଏ। ତେବେ କେମିତି ହୁଏ ଏହି ପୂଜା। କଣ ଏହି ପୂଜାର ବିଦ୍ଧି ଆସନ୍ତୁ ଜାଣିବା।
କିନ୍ନରଙ୍କ ଇଷ୍ଟଦେବୀ ବହୁଚରା ମାତା । ମା ବହୁଚରା ମାତା ବା ମୁର୍ଗୀ ମାତାଙ୍କ ପୂଜା ବିଳମ୍ବିତ ରାତିରେ ହୋଇଥାଏ। କୌଣସି ପୁରୁଷ ଏହି ପୂଜାକୁ ଦେଖନ୍ତି ନାହିଁ । ମୁର୍ଗୀ ମାତାଙ୍କର ପୂଜାର୍ଚ୍ଚନାରେ ମୂଖ୍ୟତଃ ହଳଦୀକୁ ସ୍ଵତନ୍ତ ଭାବେ ବ୍ୟବହାର କରାଯାଇଥାଏ । ତା ସହିତ ପୂଜାରେ କଉଡି, ଲେମ୍ବୁ, ଗୁଆ, ଲିମ୍ବପତ୍ର, ଖୋଇ ସହ ସମସ୍ତ ପ୍ରକାରର ଫଳରେ ଆରାଧନା କରାଯାଏ। କିନ୍ନର ମାନେ ବ୍ରତ ପାଇଁ ମାନସିକ ରଖିଥାନ୍ତି। ତେବେ ଏହି ବ୍ରତ ୫ ବର୍ଷ କିମ୍ବା ଅଧିକ ବର୍ଷ ମଧ୍ୟ ରଖିଥାନ୍ତି । କିନ୍ନରଙ୍କ ମାନସିକ ପୂରଣ ହେଲେ ଏହି ପୂଜା ଆୟୋଜିତ ହୁଏ। ଏହି ପୂଜାରେ ସମସ୍ତ କିନ୍ନର ଗୁରୁ ଯୋଗ ଦେଇଥାନ୍ତି। ମୁର୍ଗିମାତାଙ୍କ ପୂଜା ପରେ ସମସ୍ତେ ଏକାଠି ହୋଇ ନାଚ ଗୀତ କରି ଖୁସି ମନାଇଥାନ୍ତି। ଏହି ପୂଜା କଲେ କିନ୍ନରମାନେ ବସବାସ କରୁଥିବା ଅଞ୍ଚଳର ମଙ୍ଗଳ ହେବା ସହ ସେମାନଙ୍କ ଉପରେ ଥିବା ଦୁଃଖ ଦୂର ହୋଇଥାଏ। ଏହାସହ ଖରାପ ଶକ୍ତିରୁ ରକ୍ଷା ମିଳେ ବୋଲି ବିଶ୍ଵାସ ରହିଛି।