ଭଦ୍ରକ ୩୧।୧୦ : ଦୀପାବଳି ପାଇଁ ଚଳଚଞ୍ଚଳ ଭଦ୍ରକ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ହେବ ସ୍ୱତନ୍ତ୍ର ନୀତିକାନ୍ତି ।ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପା ହେଉଥିବା ବେଳେ ଅନ୍ୟ ସମସ୍ତ ଦିନ ଶାନ୍ତ ରୂପରେ ଦର୍ଶନ ଦିଅନ୍ତି।
ମା’ କାଳୀଙ୍କ କଥା ଆସିଲେ ସବୁବେଳେ ମନରେ ଆସେ ଉଗ୍ରରୂପାଙ୍କ ବିଷୟରେ । ଗଳାରେ ନରମୁଣ୍ଡ ମାଳୀ, ଲାଲ ରଙ୍ଗର ଜିହ୍ଵା ଆଉ ବଡ଼ ବଡ଼ ଚକ୍ଷୁର କଥା। କିନ୍ତୁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ କ୍ଷେତ୍ରରେ ଏସବୁ କଥା ଅଲଗା । ଏଠାରେ ମା’ ବର୍ଷ ତମାମ ଶାନ୍ତ ବେଶରେ ଦର୍ଶନ ଦେଉଥିବା ବେଳେ କାଳୀ ପୂଜା ଅବସରରେ ଆୟୋଜିତ ହେଉଥିବା ସପ୍ତମାତୃକା ବେଶରେ ଗୋଟିଏ ଦିନ ଉଗ୍ରରୂପା ମହାକାଳୀ ବେଶରେ ଦର୍ଶନ ଦିଅନ୍ତି ।
ଗୁରୁବାର ଠାରୁ ମା’ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସୀୟ ମହାଯଜ୍ଞ ଓ ସପ୍ତମାତୃକା ବେଶ ଆୟୋଜିତ ହେବେ। ସାଳନ୍ଦୀ ନଦୀର ଆହାରପଦା ଘାଟରୁ ମାନସିକ କଳସ ଶୋଭଯାତ୍ରା ହେବ । ଆଜି ପ୍ରଥମ ଦିନରେ ବେଦମାତା ବେଶ, ପରଦିନ ମହାକାଳୀ ବେଶ, ରାଜ ରାଜେଶ୍ୱରୀ ବେଶ, ସିଂହବାହିନୀ ବେଶ, ଜଗଦ୍ଧାତ୍ରୀ ବେଶ, ମହାସରସ୍ବତୀ ବେଶ ଓ ଶେଷ ଦିନରେ ମହଲଷ୍ମୀ ବେଶରେ ଦର୍ଶନ ଦେବେ। ପ୍ରତ୍ୟେକ ଦିନର ବେଶରେ ସ୍ୱତନ୍ତ୍ରତା ରହିଛି। ଅନ୍ତିମ ଦିବସରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ଦିବସ । ସପ୍ତଦିବସୀୟ ଏହି ପୂଜା ପାଇଁ ମା’ ଭଦ୍ରକାଳୀଙ୍କ ପୀଠରେ ସବୁ ପ୍ରସ୍ତୁତି ସରିଛି।