ବିଡିଓଙ୍କ ଦାଦାଗିରି ! ଗାଁ ଲୋକଙ୍କ ସାମ୍ନାରେ ସ୍କୁଲ୍ ସଭାପତିଙ୍କୁ ଚାପୁଡ଼ା ମାରିଲେ, କ୍ୟାମେରା ସାମ୍ନାରେ ରୋକ୍ଠୋକ୍ ମନା କଲେ
16/03/2023 at 2:45 PM

ଭଦ୍ରକ ୧୬।୦୩ : ସ୍କୁଲ କମିଟି ସଭାପତିଙ୍କୁ ଚାପୁଡ଼ା ମାରିଲେ ବିଡିଓ। ଗ୍ରାମବାସୀଙ୍କ ଉପସ୍ଥିତିରେ ମାଡ଼ ମାରିଛନ୍ତି। ବିଦ୍ୟାଳୟରେ 5-ଟି କାର୍ଯ୍ୟକୁ ସ୍ଥଗିତ ନରଖିବା ଓ ବଦଳି ହୋଇଥିବା ଶିକ୍ଷକଙ୍କୁ ପୁନଃ ଅବସ୍ଥାପିତ କରିବା ଦାବିରେ ଆଲୋଚନା ବେଳେ ବିଡିଓ ସଭାପତିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଡିଓ ପ୍ରଦୀପ ସେଠୀ ମାଡ଼ି ମାରୁଥିବା ଭିଡ଼ିଓ ଭାଇରାଲ ହେଉଛି।
ଖବର ଅନୁଯାୟୀ, ବନ୍ତ ବ୍ଲକ ସିଆଳିଆ ବିଦ୍ୟାଳୟରେ 5-ଟି କାର୍ଯ୍ୟ ସ୍ଥଗିତ ହୋଇଥିଲା। ଯାହାକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ଥାନୀୟ ବାସିନ୍ଦା। ପୁଣି ଶିକ୍ଷକ ବଦଳି ବାତିଲ ପାଇଁ ମଧ୍ୟ ଅନୁରୋଧ କରିଥିଲେ। କିନ୍ତୁ ଆଜି ବିଡିଓ ଏବଂ କେଟୱକ୍ ଅଧିକାରୀ ସିଆଳିଆ ସ୍କୁଲକୁ ଯାଇଥିବା ବେଳେ ସ୍କୁଲ କମିଟି ସଦସ୍ୟ ଉପସ୍ଥିତ ଥିଲେ। କୌଣସି କଥାକୁ ନେଇ ଯୁକ୍ତି ବେଳେ ବିଡିଓ ପ୍ରଦୀପ ସେଠୀ ସ୍କୁଲ କମିଟି ସଭାପତି ରଞ୍ଜନ ବାରିକଙ୍କୁ ଚାପୁଡ଼ା ମାରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ବିଡିଓଙ୍କ ସମେତ ଅନ୍ୟମାନେ ଘଟଣାସ୍ଥଳରୁ ପଳାଇଥିଲେ।
ଚାପୁଡ଼ା ମାରି ଫାଙ୍ଖିଦେଲେ !
ଘଟଣା ସମ୍ପର୍କରେ ପଚାରିବାରୁ ବିଡିଓ ମାଡ଼ ମାରିଥିବା କଥାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଛନ୍ତି। ମୁଁ ହାତ ତାଙ୍କ ଦେହକୁ ଛଇଁ ନାହିଁ। ଭିଡିଓ ଯଦି ଅଛି ଦେଖାଅ। ଯଦି ମୁଁ ତାଙ୍କ ଉପରକୁ ହାତ ଉଠାଇଥିବି ତେବେ ଚାକିରି ଛାଡ଼ିଦେବି ବୋଲି ବିଡିଓ ପ୍ରଦୀପ ସେଠୀ କହିଛନ୍ତି।
ଚାପୁଡ଼ା ମାରିବା ନେଇ ସାମ୍ବାଦିକମାନେ ବିଡିଓଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ବିଡିଓ କହିଥିଲେ ଯେ ସେଠାରେ କୌଣସି ଗୁଣ୍ଡାଗର୍ଦ୍ଦି ହୋଇ ନାହିଁ। ତେବେ କୌଣସି ରାଜନୈତିକ ଦଳ କି ପ୍ରଶାସନିକ ଅଧିକାରୀ ତାଙ୍କ ଉପରେ ହାତ ଉଠାଇ ନାହାନ୍ତି। ମୁଁ ତାଙ୍କୁ ମାରି ନାହିଁ କି ମୋ ହାତ ତାଙ୍କ ଦେହରେ ବାଜି ନାହିଁ। ଯଦି ଆପଣ ଭିଡିଓରେ ଦେଖାଇ ଦେବେ ତେବେ ମୁଁ ଚାକିରି ଛାଡ଼ି ଦେବି ବୋଲି ପ୍ରଦୀପ ସେଠୀ କହିଛନ୍ତି। ତେବେ ମିଡିଆ ପାଇଥିବା ଭିଡିଓ ମିଛ ବୋଲି ବିିଡିଓ ପ୍ରଦୀପ ସେଠୀ କହିଛନ୍ତି।