କଣ୍ଟାବାଞ୍ଜି, ୦୩/୧୨: ପ୍ରେମିକର ସନ୍ଦେହ ନେଲା ପ୍ରେମିକାର ଜୀବନ । ପ୍ରେମିକା ଧୋକା ଦେଉଥିବା ଜାଣି ସହି ପାରିଲାନି ଜହ୍ଲାଦ ପ୍ରେମିକ । ଘଟାଇ ଦେଲା ନାରକୀୟ କାଣ୍ଡ। ସମୁଦ୍ରକୂଳ ବୁଲାଇ ନେଲା, ପ୍ରେମିକାକୁ ୩ ରାଉଣ୍ଡ୍ ଗୁଳି କରି ହତ୍ୟା କଲା । ପ୍ରମାଣ ନଷ୍ଟ ପାଇଁ ଜଙ୍ଗଲକୁ ନେଇ ପୋଡ଼ିଦେଲା । ଏଭଳି ଏକ ଜଘନ୍ୟକାଣ୍ଡ ଉପରୁ ପରଦା ଉଠାଇଛି ବଲାଙ୍ଗୀର ପୋଲିସ । ସେପ୍ଟେମ୍ବର ୨୪ରେ ବଲାଙ୍ଗୀର ଜିଲ୍ଲା ତୁରେକେଲା କଲେଜ ପାଖ କାଜୁ ଜଙ୍ଗଲରୁ ମିଳିଥିଲା ଏକ ଅଚିହ୍ନା ଦରପୋଡା ମୃତଦେହ ।
ପରେ ଏହା ଜଣେ ଯୁବତୀଙ୍କର ବୋଲି ସ୍ପଷ୍ଟ କରିଥିଲା ପୋଲିସ । ସାଇଣ୍ଟିଫିକ ଟିମ୍ ସହେଯାଗରେ ତଦନ୍ତ ଆରମ୍ଭ କରିଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ଯୁବତୀଙ୍କୁ ପ୍ରଥମେ ଗୁଳିକରି ହତ୍ୟା କରାଯିବା ପରେ ପୋଡି ଦିଆଯାଇଥିଲା । ପରେ ମୃତ ଯୁବତୀ ଜଣଙ୍କ ଛତିଶଗଡ କୋରବା ଜିଲ୍ଲାର ତନୁ କୁରେ ବୋଲି ପୋଲିସ ଜାଣିବାକୁ ପାଇଥିଲା।
ରାଇପୁରର ଏକ ବ୍ୟାଙ୍କରେ କାମ କରୁଥିଲେ ତନୁ କୁରେ । କଣ୍ଟାବାଞ୍ଜିର ଶ୍ୟାମଲାଲ ଅଗ୍ରୱାଲଙ୍କ ପୁଅ ସଚିନ ଅଗ୍ରୱାଲଙ୍କ ସହ ତାଙ୍କର ଥିଲା ପ୍ରେମ ସମ୍ପର୍କ । ନଭେମ୍ୱର ୨୧ରେ ତନୁଙ୍କୁ ସଚିନ ସମୁଦ୍ରକୂଳ ବୁଲାଇ ନେଇଥିଲା । ଅନ୍ୟ ଜଣେ ପୁରୁଷ ସହ ତନୁ ଫୋନରେ କଥା ହେଉଥିବା ସଚିନ ସନ୍ଦେହ କରୁଥିଲା । ଯାହାକୁ ନାପସନ୍ଦ କରୁଥିଲା ସଚିନ । ଦୁହେଁ ବଙ୍ଗୋମୁଣ୍ଡାରେ ରାତି କାଟୁଥିବା ବେଳେ ଏହି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ସଚିନ ରାଗିଯାଇ ତନୁକୁ ୩ ରାଉଣ୍ଡ ଗୁଳି ମରିଥିଲା । ଘଟଣାସ୍ଥଳରେ ହିଁ ତନୁର ମୃତ୍ୟୁ ହୋଇଥିଲା । ପରେ ତୁରେକେଲ ଜଙ୍ଗଲକୁ ନେଇ ସେଠାରେ ପେଟ୍ରୋଲ ଢାଳି ଜାଳି ଦେଇଥିଲା । ପୋଲିସ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ସହ ସଚିନ ସହ ତାର ସହଯୋଗୀକୁ ଗିରଫ କରିଛି।
ହତ୍ୟାକାରୀ ସଚିନ ପୂର୍ବରୁ ଏକାଧିକ ଅପରାଧିକ ମାମଲାରେ ସଂପୃକ୍ତ ଥିବା ଜଣାପଡ଼ିଛି । ଏବେ ସନ୍ଦେହ ଯୋଗୁଁ ନିଜ ପ୍ରେମିକକୁ ହତ୍ୟା କରିଛି । ଏଭଳି ହତ୍ୟାକାରୀକୁ କଠୋର ଦଣ୍ଡ ଦେବାକୁ ଦାବି ହେଉଛି ।