ଦେବଦୂତ ସାଜିଲେ ଆର୍ପିଏଫ୍ କନେଷ୍ଟବଳ, ମୃତ୍ୟୁମୁଖରୁ ଯୁବକଙ୍କୁ ବଞ୍ଚାଇଲେ
20/02/2023 at 7:38 AM

ବ୍ରହ୍ମପୁର ୨୦।୦୨ : ଚଳନ୍ତା ଟ୍ରେନରୁ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚିଲେ ଯୁବକ । ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଆର୍.ପି.ଏଫ୍ କନଷ୍ଟେବଳ। ବ୍ରହ୍ମପୁର ରେଳ ଷ୍ଟେସନରେ ଜଣେ ଯୁବକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଛନ୍ତି ଜଣେ ଆରପିଏଫ ଯବାନ। ଚଳନ୍ତା ଟ୍ରେନରୁ ଡେଇଁପଡି ଜଣେ ଯୁବକ ରେଳ ଧାରଣା ଭିତରକୁ ଟାଣି ହୋଇଯିବା ପୂର୍ବରୁ ଯୁବକ ଜଣଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଛନ୍ତି କାର୍ଯ୍ୟରତ ଆର୍.ପି.ଏଫ୍ କନଷ୍ଟେବଳ । ଏଭଳି ଲୋମଟାଙ୍କୁରା ଦୃଶ୍ୟ ଯାହାକି ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ଖବର ଅନୁଯାୟୀ, ଯୁବକ ଯାତ୍ରୀ ଜଣଙ୍କ ଆସାମ ଜଖଲପୁର ଅଞ୍ଚଳର ଜୟ ଶଙ୍କର ମୁଣ୍ଡା ହୋଇଥିବା ବେଳେ ସେ ବ୍ରହ୍ମପୁରରୁ ଚେନ୍ନାଇ ଯିବାକୁ ବାହାରିଥିଲେ। କିନ୍ତୁ ଅଜାଣତରେ ସେ ବ୍ରହ୍ମପୁର ଷ୍ଟେସନର ପ୍ଲାଟଫର୍ମ ନଂ ୧ ରେ ଛିଡା ହୋଇଥିବା ଅନ୍ୟ ଏକ ଟ୍ରେନରେ ଚଢ଼ି ଯାଇଥିଲେ। ଭୁଲ ଟ୍ରେନରେ ସେ ଚଢ଼ିଥିବା ଜାଣିବା ପରେ ପରିବାରକୁ ପ୍ରଥମେ ଓହ୍ଲାଇ ଦେଇଥିଲେ। କିନ୍ତୁ ସେ ଓହ୍ଲାଇବା ବେଳକୁ ଟ୍ରେନଟି ଦୁର୍ଭାଗ୍ୟବଶତଃ ଛାଡ଼ି ଦେଇଥିଲା। ତଥାପି ପରିବାର ପାଇଁ ସେ ଚଳନ୍ତା ଟ୍ରେନରୁ ଡେଇଁବା ପାଇଁ ଚେଷ୍ଟା କରି ରେଳ ଧାରଣା ଭିତରକୁ ଟାଣି ହୋଇଯାଇଥିଲେ । କିନ୍ତୁ ସେହି ସମୟରେ ପ୍ଲାଟଫର୍ମ ରେ ଡ୍ୟୁଟି ରେ ଥିବା ଆରପିଏଫ୍ କନଷ୍ଟେବଳ ସୂର୍ଯ୍ୟକାନ୍ତ ସାହୁ ନିଜର ଉପସ୍ଥିତ ବୁଦ୍ଧି ଓ ସାହସିକତା ଦେଖାଇ ତାଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ। କନଷ୍ଟେବଳ ସୂର୍ଯ୍ୟକାନ୍ତ ଙ୍କ ଉପସ୍ଥିତ ବୁଦ୍ଧି ଓ ସାହସିକତାକୁ ସମସ୍ତେ ବେଶ୍ ପ୍ରଶଂସା କରିଛନ୍ତି।