ଗିରଫ ହେଲେ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢୀ, କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି କରିଥିଲେ ଠୁଳ
5/03/2020 at 8:30 AM

ବ୍ରହ୍ମପୁର ୫।୩: ଗିରଫ ହେଲେ ବ୍ରହ୍ମପୁର ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ୧୮ ତାରିଖ ପର୍ଯ୍ୟନ୍ତ ଜେଲ୍ କଷ୍ଟଡିରେ ରହିବେ ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି ।

ଗତ ମଙ୍ଗଳବାର ଦିନ ବିନୋଦ ପାଢୀଙ୍କ ବାସଭବନ ସମେତ ୧୨ ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ମୋଟ୍ ୫ କୋଟି ୧୨ ଲକ୍ଷ ୯୭ ହଜାର ୯୬୩ ଟଙ୍କା ଠାବ କରାଯାଇଥିବା ସୂଚନା ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଛାପା ମାରିଥିଲା । ବ୍ରହ୍ମପୁର ସ୍ଥିତ ସରକାରୀ ବାସଭବନ, ଗଞ୍ଜାମ ସ୍ଥିତ ପୈତୃକ ବାସଭବନ, ମାର୍କେଟ କଂପ୍ଲେକ୍ସ, ଖଲ୍ଲିକୋଟ୍ ଓ ଡିମିରାଠାରେ ଥିବା ଫାର୍ମ ହାଉସ୍, ହିଲପାଟଣାରେ ଥିବା ସପିଙ୍ଗ୍ କଂପ୍ଲେକ୍ସ, ଆମ୍ବପୁଆ ଠାରେ ନିର୍ମାଣ ଚାଲିଥିବା ଘରେ ରେଡ୍ ହୋଇଥିଲା ।

ସେହିପରି ବ୍ରହ୍ମପୁର ଜୟପ୍ରକାଶ ନଗରରେ ରହୁଥିବା ଠିକାଦାର ସଚିନ୍ ପାଢୀଙ୍କ ବାସଭବନ, ଗୋଷାଣିନୂଆଗାଁଠାରେ ରହୁଥିବା ଠିକାଦାର ସୀମାଞ୍ଚଳ ପାତ୍ରଙ୍କ ବାସଭବନ, ବିନୋଦ ପାଢୀଙ୍କ ଗୋଦାବରୀଶନଗରରେ ରହୁଥିବା ସଂପର୍କୀୟ ଅଶୋକ ପଣ୍ଡାଙ୍କ ବାସଭବନ, ଭୁବନେଶ୍ବର ନୟାପଲ୍ଲୀ ମେଟ୍ରୋ ରେସିଡେନ୍ସି ଆଦି ପ୍ରମୁଖ ସ୍ଥାନରେ ମଧ୍ୟ ଚଢାଉ ହୋଇଥିଲା ।