ବ୍ରହ୍ମପୁର ରାଜନୀତି ପୁରା ସରଗରମ : ଏବେ ପରବର୍ତ୍ତୀ ପରୀକ୍ଷା ପାଇଁ ପ୍ରସ୍ତୁତିର ବେଳ
9/06/2019 at 5:20 PM

ଭୁବନେଶ୍ବର ୯/୬: ସାଧାରଣ ନିର୍ବାଚନ ସରିଲା । କିଏ କେଉଁଠି କେତେ ଭୋଟ୍ ପାଇଲା, କେଉଁଠି କମିଛି କେଉଁଠି ବଢିଛି ସେ ନେଇ ସମୀକ୍ଷା କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏବେ ପୌର ନିର୍ବାଚନ ପାଇଁ ସଜବାଜ ହେଉଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ। ବହ୍ମପୁର ମହାନଗର ନିଗମ ଦଖଲକୁ ନେବା ପାଇଁ ସବୁ ପାର୍ଟି ଜୋରସୋର ଉଦ୍ୟମ ଆରମ୍ଭ କରିଦେଲେଣି । ଚାଲନ୍ତୁ ଦେଖିବା ଏ ସଂପର୍କିତ ରିପୋର୍ଟ ।
ସାଧାରଣ ନିର୍ବାଚନ ସରିଛି । ବିଜୟ, ପରାଜୟର ସମୀକ୍ଷା ବି ହୋଇଛି । ଏବେ ପରବର୍ତ୍ତୀ ପରୀକ୍ଷା ପାଇଁ ପ୍ରସ୍ତୁତିର ବେଳ । ଜିତାପଟକୁ ନେଇ ବେଶୀ ଉଲ୍ଲସିତ ହେଲେ ଚଳିବନି । ହାରିଛନ୍ତିମାନେ ଆଗକୁ ଆସୁଥିବା ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରିବା ଦରକରା । ଆଗକୁ ଅଛି ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ । ୪୦ଟି ୱାର୍ଡକୁ ନେଇ ଏହି ନିଗମ ଗଠିତ । ସାଧାରଣ ନିର୍ବାଚନରେ ଏଠାରେ ବିଜେଡିର ଜିତାପଟ ହୋଇଛି । ତେବେ ଆଗାମୀ ନିର୍ବାଚନରେ ବିଜେପି ବ୍ରହ୍ମପୁର ମହାନଗର ନିଗମ ଦଖଲ କରିବ ବୋଲି କହିଛନ୍ତି ଦଳର ଜିଲ୍ଲା ସଭାପତି । ଚଳିତ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ବିଧାନସଭା ଆସନରେ ବି.ଜେ.ଡି ପ୍ରାର୍ଥୀ ବିକ୍ରମ ପଣ୍ଡା ଜିତିଛନ୍ତି । ତେବେ ବିଜେପି ପ୍ରାର୍ଥୀ କାହ୍ନୁ ଚରଣ ପତି ଗତ ସାଧାରଣ ନିର୍ବାଚନ ତୁଳନାରେ ଅଧିକ ୧୨ ହଜାର ଭୋଟ୍ ପାଇଛି। ତେଣୁ ଆଗାମୀ ନିର୍ବାଚନରେ ଭଲ କରିବ ବୋଲି ଆଶାବାଦୀ ଅଛି ଦଳ । କଂଗ୍ରେସ ବି କହିଛି ଆମେ ଏଥର ଭଲ ପ୍ରଦର୍ଶନ କରିବୁ ବୋଲି । ଆଗାମୀ ନିର୍ବାଚନ ପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ଅଙ୍କ କଷା ଆଉ ରଣନୀତି ପ୍ରସ୍ତୁତି ।
ଗତ ବିଏମସି ନିର୍ବାଚନରେ ବି.ଜେ.ଡି ୨୪ଟି ରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୧୪ଟିରେ ବାଜିମାରିଥିଲା । ବି.ଜେ.ପି ଗୋଟିଏରେ ଏବଂ ସ୍ବାଧୀନ ପ୍ରାର୍ଥୀ ଜଣେ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ କଂଗ୍ରେସର ୧୪ ଜଣ କୋର୍ପୋରେଟର୍ ବି.ଜେ.ଡିରେ ସାମିଲ୍ ହୋଇଥିଲେ। ଏଭଳି ପରିସ୍ଥିତିରେ ବି.ଜେ.ଡିର ସ୍ଥିତି ମଜବୁତ୍ ଥିବା ପରି ଜଣାପଡୁଛି। ସେପଟେ ମେୟର୍ ପଦବୀକୁ ନେଇ ତିନି ରାଜନୈତିକ ଦଳରେ ଆଶାୟୀଙ୍କ ସଂଖ୍ୟା ଅଧିକ ଅଛନ୍ତି। କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଥିବା ଭଗବାନ ଗନ୍ତାୟତ ମେୟର୍ ପଦବୀ ରେସ୍ରେ ଆଗରେ ଅଛନ୍ତି । ଅନ୍ୟପଟେ ଦଳ ଯାହା ନିଷ୍ପତ୍ତି ନେବ ତାକୁ ମାନିବାକୁ ପଡିବ ବୋଲି କହିଛନ୍ତି ବ୍ରହ୍ମପର ବିଧାୟକ ବିକ୍ରମ ପଣ୍ଡା। ନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଦଳୀୟ ହାଇକମାଣ୍ଡ୍ଙ୍କ ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରେ ବୋଲି କହିଛନ୍ତି ସେ । ନବୀନ ବାବୁଙ୍କ ବିକାଶମୂଳକ ଯୋଜନା ଏବଂ ସ୍ବଚ୍ଛ, ନିର୍ମଳ ଶାସନ ଯୋଗୁଁ ବ୍ରହ୍ମପୁର ମହାନଗର ନିଗମକୁ ପୁଣି ଥରେ ଅକ୍ତିଆର କରିବୁ ବୋଲି ବିଧାୟକ ବିକ୍ରମ ପଣ୍ଡା କହଛନ୍ତି।
ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି । ହେଲେ ସମସ୍ତେ ବ୍ରହ୍ମପୁର ରାଜନୀତି ପୁରା ସରଗରମ ହେଇଗଲାଣି । ଦେଖାଯାଉ ରେଶମ ସହରବାସୀ କାହା ମଥାରେ ବିଜୟ ଟୀକା ଲଗାଇବେ ।