ସମସ୍ୟା ଘେରରେ ବ୍ରହ୍ମପୁର ବଡ ମେଡିକାଲ, ରୋଗୀ ହନ୍ତ ସନ୍ତ, ସେପଟେ ରାଜନୀତି ପାଇଁ ବିଜେଡି- ବିଜେପି ମୁହାଁମୁହିଁ

Published By : Prameya-News7 Bureau | May 28, 2022 IST

ବ୍ରହ୍ମପୁର:  ଉତ୍ତମ ରୋଗୀସେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ହେଲେ ଦକ୍ଷିଣ ଓଡିଶାର ସବୁଠାରୁ ବଡ ମେଡିକାଲ ତଥା ରେଫରାଲ୍ ମେଡିକାଲ ବ୍ରହ୍ମପୁରର ଏମ୍ କେ ସି ଜି ମେଡିକାଲ ବହୁବିଧ ସମସ୍ୟା ଦେଇ ଗତି କରୁଛି । ଏହି ମେଡିକାଲର ସ୍ଥିତି କଣ ରହିଛି କେମିତି ଚାଲିଛି ରୋଗୀ ସେବା ଆସନ୍ତୁ ନଜର ପକାଇବା ଏହି ରିପୋର୍ଟ ଉପରେ ।

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆବଶ୍ୟକ ଡାକ୍ତର ନାହାନ୍ତି । ଯେତିକି ଅଛନ୍ତି ସେଥିରୁ ଅଧିକାଂଶ ଡାକ୍ତର ଅନୁପସ୍ଥିତ ରହୁଛନ୍ତି । ରୋଗୀ ସେବା ବ୍ୟାହାତ ହେଉଥିବା ଅଭିଯୋଗ ହୋଇଛି । ସମସ୍ତ ଡାକ୍ତର ପଦବୀ ପୂରଣ ଓ ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏଭଳି ବିଭିନ୍ନ ୧୧ ଦଫା ଦାବୀ ନେଇ ଗତ ୨୩ ତାରିଖରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏମକେସିଜି ମେଡିକାଲ ମୁଖ୍ୟ ଗେଟ ଠାରେ ଘଣ୍ଟ ଯାତ୍ରା ସହ ଗଣ ବିକ୍ଷୋଭ  କରିଥିଲେ।

ପରେ ସାମ୍ବାଦିକ ମାନେ ମଧ୍ୟ ଆନ୍ଦୋଳନ କରିଥିଲେ। ଆବଶ୍ୟକ ଡାକ୍ତର ପଦବୀ ପୂରଣ କରିବା,  ଟ୍ରମା ସେଣ୍ଟର କାର୍ଯ୍ୟକାରୀ କରିବା,  ଡାଏଲସେସର ବ୍ୟବସ୍ଥା କରିବା, ବର୍ଣ୍ଣ ୟୁନିଟ୍ ତୁରନ୍ତ ଖୋଲିବା ଦିଗରେ ବ୍ୟବସ୍ଥା କରାଯାଉ ବୋଲି ବିଜେପି ଦାବି କରିଛି। ଏସବୁ ସମସ୍ୟା ଉପରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ବିଜେପି କହିଛି । ମେଡିକାଲ ସମସ୍ୟାକୁ ନେଇ ବିଜେଡି ରାଜନୀତି କରଣ ବନ୍ଦ କରନ୍ତୁ ବୋଲି ବିଜେପି କହିଛି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି ।

ଏହା ଉପରେ ବିଜେଡି ନିଜର ଜବାବ୍ ରଖିଛି। ରାଜ୍ୟ ସରକାର ବ୍ରହ୍ମପୁର ବଡ ମେଡିକାଲର ସମସ୍ୟାର ସମାଧାନ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ  ୫ ବର୍ଷ ମଧ୍ୟରେ ବିଭିନ୍ନ ଭିତ୍ତିଭୂମି ବିକାଶ ଦିଗରେ ୪୯୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆଗାମୀ ଦିନରେ ୨୫୭ କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ପ୍ରସ୍ତାବ ରହିଛି। ଚଳିତ ବର୍ଷ ସର୍ଜ୍ଜିକାଲ୍ ଗ୍ୟାଷ୍ଟ୍ରି,  ଏଣ୍ଟ୍ରୋଲୋଜି ବିଭାଗ ଏହି ମେଡିକାଲରେ ଖୋଲା ଯାଇଛି। ସୁପର୍ ସ୍ପେସାଲିଷ୍ଟ କୋଠାକୁ କାର୍ଯ୍ୟକ୍ଷମ କରାଯାଇ  ୧୦ଟି ବିଭାଗରେ ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଫଳରେ ଦୈନିକ ହାରାହାରି  ୩୦ ଜଣ ରୋଗୀଙ୍କ ଡାଏଲସିସ୍ କରାଯାଉଛି। ଟ୍ରମା ସେଣ୍ଟର କୁ ଆଧୁନିକୀକରଣ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ମେଡିକାଲ କଲେଜରେ ଡାକ୍ତରଙ୍କ ଅନୁମୋଦିତ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ଯୁଦ୍ଧ କାଳୀନ ଭିତ୍ତିରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ସପ୍ତାହରେ  ୩୧ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆ ଯାଇଥିବା ବିଜେଡି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ସର୍ଜରୀ ୟୁନିଟ୍‌ରେ ବର୍ଣ୍ଣ ୟୁନିଟ୍ ଖୋଲିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ୨୦ ଶଯ୍ୟା ବିଶିଷ୍ଟ ଆଇ ସି ୟୁ କୁ ସଂପ୍ରସାରଣ କରାଯାଇ  ୫୪ ବିଶିଷ୍ଟ ଆଇ ସି ୟୁ କୁ ବୃଦ୍ଧି କରାଯାଇଥିବା ବି ଜେ ଡି କହିଛି।

ବିଜେପି ଅଯଥାରେ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ବିଜେଡି କହିଛି । ବ୍ରହ୍ମପୁର ବଡ ମେଡିକାଲରେ  ୪୨୬ ଜଣ ଡାକ୍ତର ରହିବା ବଦଳରେ ଏବେ ଅଛନ୍ତି ମାତ୍ର  ୩୧୩ ଜଣ ଡାକ୍ତର । ୧୧୩ ଡାକ୍ତର ପଦବୀ ଖାଲି ରହିଛି।  ୮ ଜଣ ଛୁଟିରେ ଥିବା ବେଳେ ୩ ଜଣ ଚାକିରିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ତେବେ ଖାଲିଥିବା ଡାକ୍ତରୀ ପଦବୀ ପୂରଣ ଦିଗରେ ରାଜ୍ୟ ସରକାର ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ସାଂସଦ ଓ ବିଧାୟକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.