ଭାରତରେ ବିଦେଶୀ ପୁଞ୍ଜି ନିବେଶକୁ କେନ୍ଦ୍ରର ଅନୁମତିକୁ ବିରୋଧ କରି ଆଜି ସର୍ବଭାରତୀୟ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ
28/09/2018 at 3:25 PM

ବ୍ରହ୍ମପୁର ୨୮/୯ : ଭାରତରେ ବିଦେଶୀ ପୁଞ୍ଜି ବିନିଯୋଗର କେନ୍ଦ୍ର ଅନୁମତିକୁ ବିରୋଧ କରି ଆଜି ସର୍ବଭାରତୀୟ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ଗଞ୍ଜାମ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ ଜଣାଇ ବ୍ରହ୍ମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରେ ସମସ୍ଥ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ, ବଜାରକୁ ବନ୍ଦ କରିଛନ୍ତି। ଭାରତର ସାତ କୋଟିରୁ ଉର୍ଦ୍ଧ ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କ ସ୍ବାର୍ଥ ରକ୍ଷା ସକାଶେ ଏଭଳି ବନ୍ଦ ପାଳନ କରିଥିବା କହିଛନ୍ତି। ସରକାରଙ୍କ ଉପରେ ଚାପ ସୃଷ୍ଟି କରି ଖୁଚୁରା ବ୍ୟବସାୟରେ ବିଦେଶ ପୁଞ୍ଜିର ବିନିଯୋଗକୁ ବିରୋଧ କରାଯାଇଛି। ଫ୍ଲିପ୍ କାର୍ଡ ଏବଂ ୱାଲ୍ମାର୍ଟର ପ୍ରସ୍ତାବିତ ଯୋଜନାକୁ ବନ୍ଦ କରିବା, ଭାରତର ଖୁଚୁରା କାରବାରରେ ଶତକଡା ୧୦୦ ଭାଗ ବିଦେଶ ପୁଞ୍ଜି ବିନିୟୋଗର ନିଷ୍ପତ୍ତି ପ୍ରତ୍ୟାହାର କରିବା, ଏକ ସରଳ ଜି.ଏସ୍.ଟି ନିୟମ ପ୍ରଣୟନ କରିବା ପ୍ରମୁଖ ୧୧ ଦଫା ଦାବୀ ପୂରଣ ନେଇ ଆଜି ଜିଲ୍ଲାର ସମସ୍ଥ ବ୍ୟବସାୟ ବନ୍ଦ ରଖିଥିବା ଗଞ୍ଜାମ ଚାମ୍ବର ଅଫ୍ କମର୍ସ ପକ୍ଷରୁ କୁହାଯାଇଛି। ଏହାକୁ ଗଞ୍ଜାମ – ଗଜପତି – ଫୁଲବାଣୀ କେମିଷ୍ଟ୍ ଡ୍ରଗିଷ୍ଟ୍ ସଂଘ ପକ୍ଷରୁ ମଧ୍ୟ ସମର୍ଥନ ଜଣାଇ ବନ୍ଦ ପାଳନରେ ସାମିଲ୍ ହୋଇଛନ୍ତି।