ପାଗଳ ବେଶରେ ବିଦ୍ୟାଳୟ ପରିଦର୍ଶନରେ ଆସିଲେ ବିଇଓଙ୍କ , ଜାଣନ୍ତୁ କ’ଣ କାରଣ
19/07/2019 at 10:15 AM

ସାନଖେମୁଣ୍ଡି ୧୯|୭: ପାଗଳ ବେଶରେ ବ୍ଲକ୍ ଏଜୁକେସନ ଅଫିସରଙ୍କ ବିଦ୍ୟାଳୟ ପରିଦର୍ଶନ । ଶୁଣିଲେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ହେଲେ ଘଟଣାଟି ସତ । ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଲକରେ ସରକାରୀ ବିଦ୍ୟାଳୟରେ କେମିତି ଚାଲିଛି ପାଠପଢ଼ା, ଶିକ୍ଷକ ଠିକ୍ ସମୟରେ ସ୍କୁଲ ଆସୁଛନ୍ତି କି ନାହିଁ, ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଠିକ୍ ଭାବେ ଦିଆଯାଉଛି କି ନାହିଁ । ସେ ସବୁର ଯାଂଚ କରିବାକୁ ହଠାତ୍ ପାଗଳ ବେଶରେ ଏକ ବିଦ୍ୟାଳୟରେ ପହଞ୍ଚିଯାଇଥିଲେ ଜଣେ ବ୍ଲକ୍ ଏଜୁକେସନ ଅଫିସର ।

ତାଙ୍କ ଗେଟ୍ଅପ୍ ଏମିତି ଥିଲା ଯେ, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପାଗଳ ଭାବି ସ୍କୁଲ ବାହାରକୁ ଘଉଡ଼ାଇଦେଇଥିଲେ ।

ଆଉ ଯେତେବେଳେ ଦୀର୍ଘ ସମୟ ଧରି ଛଦ୍ମବେଶୀ ପାଗଳଟି ସେଠାରୁ ଯାଇନଥିଲା ସେତେବେଳେ ଗାଁ ଲୋକେ ତାକୁ କାବୁ କରିବା ପରେ ଜଣାପଡ଼ିଥିଲା, ସେ କୌଣସି ପାଗଳ ନଥିଲେ ବରଂ ବ୍ଲକ୍ ଏଜୁକେସନ ଅଫିସର ଭାସ୍କର ଲେଙ୍କା ପାଗଳ ବେଶରେ ସ୍କୁଲ୍ ପରିଦର୍ଶନ ପାଇଁ ଆସିଥିଲେ ।

ପୂର୍ବରୁ ଭାରତୀୟ ନୌସେନା ଅଧିକାରୀ ଭାବେ କାର୍ଯ୍ୟକରିଥିବା ଭାସ୍କର ଲେଙ୍କା ଏବେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଅଧୀନରେ ବିଇଓ ଭାବେ କାର୍ଯ୍ୟ କରୁଛନ୍ତି ।