ଲକ୍ଷ୍ନୌ ୧୭/୦୩ : କେନ୍ଦ୍ର ସରକାର ଓ ଉତ୍ତରପ୍ରଦେଶରେ ବିଜେପି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନାର ଲାଭାର୍ଥୀମାନେ ଯୋଗୀ ଆଦିତ୍ୟନାଥଙ୍କ ଆଦିତ୍ୟ ଦ୍ୱିତୀୟ ପାଳି ସରକାରର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନ ମନ୍ତ୍ରୀ କିସାନ ଯୋଜନା, ମାଗଣା ରାସନ ଯୋଜନାର ଲାଭାର୍ଥୀ, ମୁଖ୍ୟମନ୍ତ୍ରୀ ଆବାସ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳା ଯୋଜନା, ଡିବିଟି (ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର) ମାଧ୍ୟମରେ ଆର୍ଥିକ ସାହାଯ୍ୟ ପାଇଥିବା ବ୍ୟକ୍ତିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇରପାରିବେ ।
ଶପଥ ଗ୍ରହଣ ସମାରୋହର ଆୟୋଜନ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ କରାଯାଉଛି। କିନ୍ତୁ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ କେବେ ହେବ ଏନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ । ଉତ୍ତରପ୍ରଦେଶ ବିଜେପିର କୋର କମିଟି ରାଜ୍ୟରେ ସରକାର ଗଠନ କରିବା ବିଷୟରେ ଚର୍ଚ୍ଚା କରିବା ପାଇଁ ବୁଧବାର ୬ ଘଣ୍ଟା ଧରି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି। ସୂଚନାଥାଉକି ଉତ୍ତରପ୍ରଦେଶ ବିଧାନ ସଭା ନିର୍ବାଚନରେ ବିଜେପି ୨୫୫ଟି ଆସନରେ ବିଜୟୀ ହୋଇଥିବା ବେଳେ ସମାଜବାଦୀ ପାର୍ଟି ୧୧୧ଟି ଆସନରେ ନିଜର ସଂଖ୍ୟା ଗରିଷ୍ଠାକୁ ପ୍ରମାଣିତ କରିଛି । ଏଠାରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ମାତ୍ର ଗୋଟିଏ ଆସନରେ ଜିତିଛି। ସେହିପରି କଂଗ୍ରେସ ଏଠାରେ କେବଳ ଗୋଟିଏ ଆସନରେ ବିଜୟ ଲାଭ କରିଛି ।
ବର୍ତ୍ତମାନ ଉତ୍ତରପ୍ରେଦେଶର କାର୍ୟ୍ୟବାହୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଦିଲ୍ଲୀରୁ ଫେରିବା ପରେ ଗତ ସୋମବାର ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତାମାନଙ୍କ ସହିତ ବୈଠକ କରିଥିଲେ। ଏହି ସମୟରେ ସେ ସ୍ଥାନୀୟ ପ୍ରାଧିକାରିକ କ୍ଷେତ୍ରର ଆଗାମୀ ବିଧାନ ପରିଷଦ ନିର୍ବାଚନ ସହିତ ବିଭିନ୍ନ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଏହି ବୈଠକରେ ବିଜେପିର ବରିଷ୍ଠ ନେତା କେଶବ ପ୍ରସାଦ ମୌର୍ଯ୍ୟ, ଦିନେଶ ଶର୍ମା, ରାଜ୍ୟ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ, ଉତ୍ତର ପ୍ରଦେଶର ବିଜେପି ସଙ୍ଗଠନ ପ୍ରଭାରି ରାଧାମୋହନ ସିଂହ ଓ ବରିଷ୍ଠ ନେତା ସୁନୀଲ ବଂଶଲ ମଧ୍ୟ ଉପସ୍ଥିତ ଥିଲେ ବୋଲି ବିଜେପି ସୂତ୍ରରୁ ଜଣା ପଡ଼ିଛି ।
ହୋଲିର ଆଗାମୀ ସପ୍ତାହରେ ଉତ୍ତର ପ୍ରଦେଶରେ ନୂଆ ସରକାରଙ୍କର ଶପଥ ଗ୍ରହଣ ଉତ୍ସବ ହୋଇପାରେ ବୋଲି ସୂଚନା ମିଳୁଛି । ଏହା ଛଡ଼ା ଉତ୍ତରପ୍ରଦେଶରେ ସ୍ଥାନୀୟ ପ୍ରାଧିକାରିକ କ୍ଷେତ୍ରରେ ବିଧାନ ପିରଷଦ ନିର୍ବାଚନ ଆଗାମୀ ଏପ୍ରିଲ ୯ ତାରିଖରେ ହେବ। ଏହି ପ୍ରସଙ୍ଗ ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା । ଯୋଗୀ ଆଦିତ୍ୟ ନାଥ ରବିବାର ନିଜର ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିଥିଲେ ।