ରାହୁଲ-ସୋନିଆଙ୍କ ବିରୋଧରେ କରୁଥିଲେ ମିଥ୍ୟା ପ୍ରଚାର, ବାଂଲାଦେଶୀ ରିପୋର୍ଟରଙ୍କ ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | September 02, 2024 IST

ନୂଆଦିଲ୍ଲୀ: ଲୋକସଭା ବିରୋଧୀ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ପ୍ରଚାର କରି ଫସିଲେ ବାଂଲାଦେଶୀ ରିପୋର୍ଟର। ସୋମବାର ବେଙ୍ଗାଲୁରୁ ପୋଲିସ, ରାହୁଲ-ସୋନିଆ ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ଖବର ତଥା ଭୁଲ ସୂଚନା ପ୍ରଚାର କରିବା ଅଭିଯୋଗରେ ଜଣେ ବାଂଲାଦେଶୀ ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହା ସହ ଏକ ଭାରତୀୟ ନ୍ୟୁଜ ପୋର୍ଟାଲର ଜଣେ ମହିଳା ଷ୍ଟାଫଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। 

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସଲାହ ଉଦ୍ଦୀନ ଶୋଏବ ଚୌଧୁରୀ ଏବଂ ଅଦିତିଙ୍କ ବିରୋଧରେ ହାଇ ଗ୍ରାଉଣ୍ଡସ ପୋଲିସ ଷ୍ଟେସନରେ ମାମଲା ଏକ ଅଭିଯୋଗ ହୋଇଛି। କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ବା କେପିକେକେ ସହ ଜଡ଼ିତ ଶ୍ରୀନିବାସ ଜୀ. ଅଭିଯୋଗ ଆଣିଛନ୍ତି ଯେ, ବାଂଲାଦେଶୀ ରିପୋର୍ଟର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୋନିଆ ଗାନ୍ଧୀଙ୍କୁ ବିଦେଶୀ ଜାସୁସ କହି ଏକ ପୋଷ୍ଟ ସେୟାର କରିଛନ୍ତି।

ଶ୍ରୀନିବାସ କହିଛନ୍ତି ବାଂଲାଦେଶୀ ରିପୋର୍ଟର ସଲାହ ଉଦ୍ଦୀନ ଶୋଏବ ଚୌଧୁରୀ ଗାନ୍ଧୀ ପରିବାରର ଛବିକୁ ମଳିନ କରିବାକୁ ଏଭଳି କରିଛନ୍ତି। ଏମିତିକି ରିପୋର୍ଟର ଜଣକ ଦୁଇ ଧର୍ମ ମଧ୍ୟରେ ତିକ୍ତତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପୋଷ୍ଟ ସେୟାର କରିବାକୁ ଚାହୁଥିବା କହିଛନ୍ତି ଶ୍ରୀନିବାସ। ଆହୁରି ମଧ୍ୟ ଏହି ପୋଷ୍ଟରେ ରାହୁଲ ଗାନ୍ଧୀଙ୍କ ଉପରେ ମଧ୍ୟ ଟିପ୍ପଣୀ କରାଯାଇଥିବା ଶ୍ରୀନିବାସ କହିଛନ୍ତି । ସେପଟେ ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ମାମଲାର ଯାଞ୍ଚ ଚାଲିଛି ଏବଂ ତାହା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.