ଲିଭ୍-ଇନ୍ ପାର୍ଟନର୍ଙ୍କୁ ପ୍ରେସର କୁକର୍ରେ ପିଟି ପିଟି ହତ୍ୟା କଲା ପ୍ରେମିକ
28/08/2023 at 7:14 PM

ବେଙ୍ଗାଲୁରୁ,୨୮/୦୮: ଦିନେ ଜୀବନସାଥୀ କରିବାକୁ ସ୍ୱପ୍ନ ଦେଖୁଥିଲା, ହେଲେ ସାଥୀକୁ ଜୀବନରୁ ମାରିଦେଲା ପ୍ରେମିକ। କ୍ଷଣିକ କ୍ରୋଧ ନାଶ କରିଦେଲା ସମ୍ପର୍କକୁ। ପ୍ରେମିକାକୁ ପ୍ରେସର କୁକରରେ ପିଟି ପିଟି ମାରିଦେଲା ପ୍ରେମିକ। ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁରେ । ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୋଲିସ୍।
ପୋଲିସ କହିବାନୁସାରେ ବୈଷ୍ଣବ ଓ ଦେବା ଦୁଇ ବର୍ଷ ଧରି ବେଙ୍ଗାଲୁରୁରର ବେଗୁରର ଏକ ଆପାର୍ଟମେଣ୍ଟରେ ଲିଭ୍ ଇନ୍ରେ ରହୁଥିଲେ। ଉଭୟେ କଲେଜ୍ ଟାଇମରେ ସାକ୍ଷାତ ହୋଇଥିଲେ। ସେମାନେ ବେଙ୍ଗାଲୁରର ଏକ ସେଲ୍ସ ଓ ମାର୍କେଟିଂ ଫାର୍ମରେ କାମ କରୁଥିଲେ।
ଗତ ଶନିବାର ସଂଧ୍ୟା ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପ୍ରେମିକ ବୈଷ୍ଣବ ଦେବାକୁ ପ୍ରେସର କୁକରରେ ପିଟିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଦେବାଙ୍କ ଭଉଣୀ ଫୋନ୍ କରିଥିଲେବି କେହି ରିସିଭ୍ ନକରିବାରୁ ସନ୍ଦେହ ଉପୁଜିଥିଲା। ପରେ ପୋଲିସକୁ ଖବର ଦିଆଯାଇଥିଲା।
ଘଟଣା ଘଟାଇବା ପରେ ବୈଷ୍ଣବ ଫେରାର ହୋଇଯାଇଥିଲା। ପୋଲିସ୍ ଫୋନ୍ ଟ୍ରାକ୍ କରି ବୈଷ୍ଣବକୁ ଗିରଫ କରିଥିଲା।
ଉଭୟେ ଏକାଠି ରହୁଥିବା ପୋଲିସ ଜାଣିବାକୁ ପାଇଥିଲା। ତେବେ ପ୍ରେମିକାକୁ ସନ୍ଦେହ କରି ପ୍ରେମିକ ଏଭଳି କାଣ୍ଡ ଭିଆଇଥିବା କହିଛି ପୋଲିସ୍। ଲିଭ୍ ଇନ୍ ରିଲେସନସିପ୍ରେ ରହୁଥିବା ନେଇ ଉଭୟଙ୍କ ଅବିଭାବକ ଅବଗତ ଥିବା ପୋଲିସ କହିଛି। ସେମାନଙ୍କ ମଧ୍ୟରେ ଅନେକ ପାଟିତୁଣ୍ଡ ଲାଗିଥିବା ବେଳେ ପରିବାର ପକ୍ଷରୁ ସମାଧାନ କରାଯାଇଛି ।