ଗାଡ଼ି ବୁକ୍ କରିଥିଲେ ଯୁବତୀ, ଡ୍ରାଇଭର ସାଜିଲା ସଇତାନ, ସାଙ୍ଗ ସହ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ

Published By : Prameya-News7 Bureau | November 30, 2022 IST

ବେଙ୍ଗାଳୁରୁ: ଅପରାଧର ହବ୍ ପାଲଟିଲାଣି ସଫ୍ଟଓୟାର ସିଟି । ମିନି ମେଟ୍ରୋରେ ବଢିବାରେ ଲାଗିଛି ଦୁଷ୍କର୍ମ । ବେଙ୍ଗାଳୁରୁର ଇଲେକ୍ଟ୍ରୋନିସ୍ ସିଟି ସୀମାନ୍ତ ଇଲାକାରେ ଦୁଷ୍କର୍ମ ହୋଇଛି । ଯୁବତୀଙ୍କୁ ରାପିଡୋ ଚାଳକ ଏବଂ ତା’ର ସାଙ୍ଗ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି ।

ବେଙ୍ଗାଳୁରୁ ପୋଲିସ କମିଶନର ପ୍ରତାପ ରେଡ୍ଡିଙ୍କ ସୂଚନା ଅନୁଯାୟୀ, ୨୫ ତାରିଖ ରାତିରେ ଏହି ଘଟଣା ଘଟିଛି । ଇଲେକ୍ଟ୍ରୋନିସ୍ ସିଟିର ସୀମାନ୍ତ ଇଲାକାରୁ ଏହି ଗମ୍ଭୀର ମାମଲା ସାମ୍ନାକୁ ଆସିଛି । ଜଣେ ୨୨ ବର୍ଷିୟା ଯୁବତୀଙ୍କୁ ରାପିଡୋ ବାଇକ୍ ଚାଳକ ଓ ତା’ର ଜଣେ ସାଙ୍ଗ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତ ଯୁବତୀ ଜଣଙ୍କ କେରଳର ବୋଲି ଜଣାପଡ଼ିଛି । ୨୫ ତାରିଖ ରାତିରେ ନିଜ ସାଙ୍ଗ ଘରକୁ ଯିବା ପାଇଁ ଯୁବତୀ ଜଣଙ୍କ ରାପିଡୋ ଆପରେ ବାଇକ୍ ଡ୍ରପ୍ ସର୍ଭିସ୍ ବୁକ୍ କରିଥିଲେ । ରାତିରେ ବାଇକ୍ ଚାଳକ ଯୁବତୀଙ୍କୁ ବୁକ୍ ହୋଇଥିବା ସ୍ଥାନକୁ ନେବା ବଦଳରେ ଶୁନଶାନ୍ ସ୍ଥାନକୁ ନେଇଯାଇଥିଲେ । ପରେ ଅନ୍ୟଜଣେ ସାଙ୍ଗକୁ ଡାକି ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିଲେ ।

ଏହି ଘଟଣାରେ ଯୁବତୀଙ୍କୁ ଜଣେ ମହିଳା ହସପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଇଛନ୍ତି । ପରେ ନିକଟସ୍ଥ ଥାନାରେ ଦୁଷ୍କର୍ମ ହୋଇଥିବା ନେଇ ଏତଲା ଦେଇଥିଲା । ପୋଲିସ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ଛାନବିନ୍ କରିବା ସହିତ ବାଇକ୍ ଡ୍ରପ୍ ଆପ୍ଲିକେସନ୍ ମାଧ୍ୟମରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି  । ଏହି ଦୁଇ ଅପରାଧିଙ୍କ ମଧ୍ୟରୁ ପୂର୍ବରୁ ଜଣଙ୍କ ନାଁରେ ବହୁ ଅପରାଧ ରହିଛି । ଅନ୍ୟଜଣେ ରାପିଡୋ ଡ୍ରାଇଭର ସହିତ ମୋବାଇଲ ଷ୍ଟୋରରେ କାମ କରେ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.