ହୋଟେଲ ରୁମରୁ ବଙ୍ଗାଳି ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | September 09, 2018 IST

କୋଲକାତା ୯/୯ : ବଙ୍ଗାଳି ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ମୃତଦେହ ପଶ୍ଚିମବଙ୍ଗର ସିଲିଗୁଡିର ଏକ ହୋଟେଲରୁ ଉଦ୍ଧାର ହୋଇଛି | ଅନେକ ବଙ୍ଗାଳି ଫିଲ୍ମ ଓ ଟିଭି ସିରିଏଲରେ ସେ ଅଭିନୟ କରିଛନ୍ତି | ପ୍ରାଥମିକ ତଦନ୍ତ ପରେ ଏହା ଆତ୍ମହତ୍ୟା ବୋଲି ପୋଲିସ ସୂଚନା ଦେଇଛି | ସୂଚନାନୁଯାୟୀ, କୋଲକାତା ନିବାସୀ ଅଭିନେତ୍ରୀ ପାୟଲ ଗତ ମଙ୍ଗଳବାର ଦିନ ସିଲିଗୁଡିର ଏକ ହୋଟେଲରେ ରୁମ ନେଇ ରହିଥିଲେ | ହୋଟେଲ କର୍ମଚାରୀଙ୍କ କହିବା ଅନୁସାରେ ପାୟଲ ରୁମ ନେବା ପରେ ଥରେ ମଧ୍ୟ ରୁମରୁ ବାହାରକୁ ବାହାରି ନଥିଲେ | ତେବେ ଗୁରୁବାର ଦିନ ତାଙ୍କର ଗ୍ୟାଙ୍ଗଟକ ଯିବାର ଥିଲା | ତେବେ ବୁଧବାର ସକାଳୁ ହୋଟେଲ କର୍ମଚାରୀ ପାୟଲଙ୍କ ରୁମର କବାଟ ବାଡେଇବାରୁ ଭିତରପଟୁ କିଛି ଜବାବ ନପାଇ ହୋଟେଲ କର୍ମଚାରୀ ବାଧ୍ୟ ହୋଇ ପୋଲିସକୁ ଖବର ଦେଇଥିଲେ | ପୋଲିସ ଆସି ହୋଟେଲ ରୁମ କବାଟ ଭାଙ୍ଗି ଭିତରେ ଦେଖିଲାବେଳକୁ ପାୟଲଙ୍କ ମୃତ୍ୟୁ ହୋଇସାରିଥିଲା | ତେବେ ମୃତ୍ୟୁର କାରଣ ଏବେ ଯାଏଁ କିଛି ଜଣାପଡିନାହିଁ | ରିପୋର୍ଟ ଅନୁଯାୟୀ କିଛି ମାସ ପୂର୍ବରୁ ପାୟଲଙ୍କ ଡିଭୋର୍ସ ହୋଇଯାଇଥିଲା | ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି | ତେବେ କାହିଁକି ଆତ୍ମହତ୍ୟା କଲେ ସେ ନେଇ ପୋଲିସ ତଦନ୍ତ ଚଳାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.