ସହପାଠୀକୁ ଅପହରଣ କରି ହତ୍ୟା, ମାରିବା ପୂର୍ବରୁ ଖୁଆଇଥିଲେ ରସଗୋଲା ସହ କୋଲ୍ଡଡ୍ରିଙ୍କ୍ସ
28/08/2023 at 10:41 PM

କମ୍ପ୍ୟୁଟର ପାଇଁ ସହପାଠୀକୁ ହତ୍ୟା କଲେ ସାଙ୍ଗ। କମ୍ପ୍ୟୁଟରରେ ଗେମ୍ ଖେଳିବା ପାଇଁ ସାଙ୍ଗମାନେ ଭୁଲିଗଲେ ହିତାହିତ ଜ୍ଞାନ। ସହପାଠୀକୁ ପ୍ରଥମେ ଅପହରଣ ଓ ପରେ ହତ୍ୟା। ମାରିବା ପୂର୍ବରୁ ଖୁଆଇଥିଲେ ରସଗୋଲା ସହ କୋଲ୍ଡଡ୍ରିଙ୍କ୍ସ। ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କୃଷ୍ଣନଗରର ଘୂର୍ଣ୍ଣି ଅଞ୍ଚଳରେ।
ପୋଲିସର ସୂଚନା ଅନୁସାରେ ମୃତକ ଜଣକ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ। ଗତ ଶୁକ୍ରବାର ବଜାରକୁ ଯାଇଥିବା ବେଳେ ସେ ସେଠାରୁ ନିଖୋଜ ହୋଇଯାଇଥିଲେ। ପୁଅକୁ ଅପହରଣ କରାଯାଇଥିବା ନେଇ ତାଙ୍କ ମାଆଙ୍କ ନିକଟକୁ ଏକ ଧମକପୂର୍ଣ୍ଣ କଲ୍ ଆସିଥିଲା। ୩ ଲକ୍ଷ ଟଙ୍କା ଦେବା ନେଇ ସେମାନେ ଦାବି କରିଥିଲେ। ପରେ ଏନେଇ ତାଙ୍କ ମାଆ କୋଟଓ୍ୱାଲି ଥାନାରେ ଏତଲା ଦେଇଥିଲେ।
ପୋଲିସ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶେଷରେ ୩ ଅପହରଣକାରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା ସତ କିନ୍ତୁ ଅପହର୍ତ୍ତାକୁ ମୃତ ଅବସ୍ଥାରେ ହିଜୁଲି ଅଞ୍ଚଳର ପୋଖରୀରୁ ଉଦ୍ଧାର କରାଯାଇଥିଲା। ତଦନ୍ତରୁ ଜଣାପଡିଛି ୩ ଅପହରଣକାରୀମାନେ ସମସ୍ତେ ଗୋଟିଏ ସ୍କୁଲର। ତିନି ଜଣ ଯାକ ଦଶମ ଶ୍ରେଣୀରେ ପାଠ ପଢନ୍ତି। କମ୍ପ୍ୟୁଟରରେ ଗେମ୍ସ ଖେଳିବା ପାଇଁ ସେମାନେ ଇଚ୍ଛା ପ୍ରକାଶ କରିଥିଲେ। ପାଖରେ ଟଙ୍କା ନଥିବାରୁ ସେମାନେ ସେଇ ସ୍କୁଲରେ ପଢୁଥିବା ଅଷ୍ଟମ ଶ୍ରେଣୀର ଛାତ୍ରକୁ ଅପହରଣ କରି ୩ ଲକ୍ଷ ଦେବାପାଇଁ ଦାବି କରିଥିଲେ।
ହେଲେ ଧରପଡ଼ିବା ଭୟରେ ତାଙ୍କୁ ହତ୍ୟା କରିଥିଲେ। ହତ୍ୟା କରିବା ପୂର୍ବରୁ ତାକୁ ରସଗୋଲା ଓ କ୍ରୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ଦେଇଥିଲେ। ହତ୍ୟା କରିବାର କାରଣ ଜାଣିବା ପାଇଁ ସବୁ ଦିଗରୁ ତଦନ୍ତ କରୁଛି ପୋଲିସ୍। ସମସ୍ତ ଅପହରଣକାରୀଙ୍କୁ ବାଳସୁଧାରଗୃହକୁ ପଠାଇ ଦିଆଯାଇଛି। ମୃତକଙ୍କ ବାପାଙ୍କୁ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ସେ ମାଆଙ୍କ ସହ ମାମୁଘରେ ରହିପାଠ ପଢୁଥିଲେ।